Site icon Odisha.com

ଦୂରରେ ପରୀକ୍ଷା କେନ୍ଦ୍ର ଯୋଗୁଁ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ବିଭାଗୀୟ କର୍ତୃପକ୍ଷ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସ୍କୁଲ ଠାରୁ ବହୁ ଦୂରରେ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲାର ୨୮୫ ହାଇସ୍କୁଲର ୧୮, ୩୧୮ ଜଣ ଛାତ୍ରଛାତ୍ରୀ ୭୧ଟି ପରୀକ୍ଷା କେନ୍ଦ୍ରରେ ସୋମବାର ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ଦେବେ ।

ପରୀକ୍ଷା କେନ୍ଦ୍ର ବହୁତ ଦୂରରେ ହୋଇଥିବାରୁ ସେଠାକୁ ଯିବା ପାଇଁ ଅଧିକ ସମୟ ଲାଗିବ ଏବଂ ପରୀକ୍ଷା ଦେବାରେ ବାଧାପ୍ରାପ୍ତ ହେବ ବୋଲି ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀମାନେ କହିଛନ୍ତି ।

ସ୍କୁଲ ଠାରୁ ୪୦ କିମି ଦୂରରେ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଯେଉଁ ସ୍ଥାନ ଗୁଡ଼ିକରେ ପରୀକ୍ଷା କେନ୍ଦ୍ର ୪୦ କିମି ଦୂରରେ ରହିଛି ସେଗୁଡ଼କ ପରିବର୍ତନ କରିବା ପାଇଁ ସେମାନେ ଜିଲ୍ଲାପାଳ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ସରକାର ସ୍କୁଲ ଠାରୁ ୫/୧୦ କିମି ଦୂରରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ
ତାହା କରାଯାଇ ନାହିଁ ବୋଲି ଜଣେ ଅଭିଭାବକ ସୁଦର୍ଶନ ସ୍ୱାଇଁ କହିଛନ୍ତି ।

ଭୌଗୋଳିକ ସ୍ଥିତି ଯୋଗୁଁ ୫ରୁ୧୦ କିମି ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବା କଷ୍ଟକର କିନ୍ତୁ କେତେକ ସ୍କୁଲର କେନ୍ଦ୍ର ଏହି ଦୂରତା ମଧ୍ୟରେ କରାଯାଇଛି ବୋଲି ସ୍କୁଲ ସିଆଇ ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version