ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ନେଇ୧୩ ଟି ଦାବି ସମ୍ବଳିତ ପତ୍ର ମାଓବାଦୀମାନେ ସୋମବାର ବିଭିନ୍ନ ଗଣମାଧ୍ୟମକୁ ପଠାଇଥିବା ବେଳେ ଏହା ଓଡ଼ିଶା ଡ଼ଟ୍ କମ୍ ର ମଧ୍ୟ ହସ୍ତଗତ ହୋଇଛି ।
ଏଥିରେ ଉଲ୍ଲେଖ କରାଯାଇଥିବା ଦାବି ଗୁଡ଼ିକ ହେଲା ।
୧. ଆଦିବାସୀ ଏକ ପର୍ଯ୍ୟଟନୀୟ ବସ୍ତୁ ନୁହେଁ ଓ ଏ ଅଞ୍ଚଳ ଏକ ପର୍ଯ୍ୟଟକଙ୍କ ପରିଦର୍ଶନୀୟ ଅଞ୍ଚଳ ନୁହେଁ । ଏହା ସ୍ପଷ୍ଟ ଭାବେ ଘୋଷଣା କରାଯାଉ ଓ ଏହାର ଖିଲାପକାରୀଙ୍କୁ ଗିରଫ କରାଯାଉ ।
୨. ଅପରେଶନ ଗ୍ରୀନହଣ୍ଟ ଦମନ ବନ୍ଦ କରାଯାଉ । ଆଗରୁ ଥିବା ଥାନା ବ୍ୟତୀତ ଆଭ୍ୟନ୍ତରୀଣ ଅଞ୍ଚଳରୁ ସବୁ ପୋଲିସ କ୍ୟାମ୍ପ ପ୍ରତ୍ୟାହାର କରାଯାଉ । ଜନଗଣଙ୍କ ସମସ୍ୟା ନେଇ ବିପ୍ଲବୀଙ୍କ ସହ ଆଲୋଚନାର ଉପଯୁକ୍ତ ପରିବେଶ ସୃଷ୍ଟି କରାଯାଉ ।
୩. ଓଡ଼ିଶାରେ ମାଓବାଦୀ ପାର୍ଟି ଓ ବିଭିନ୍ନ ଗଣ ସଂଗଠନ ଉପରେ ହୋଇଥିବା ନିଷେଧାଦେଶ ପ୍ରତ୍ୟାହାର କରାଯାଉ ।
୪. ଲଳିତ ହେୁରୀ, ଜୁନେଶ ବଡ଼ରଇତ, ପ୍ରଦୀପ ମାଝିଙ୍କ ସମେତ ବିଭିନ୍ନ ଲୋକଙ୍କୁ କରାଯାଇଥିବା ମିଛ ଗୁଳିବିନିମୟ ଓ ହାଜତ ନିର୍ଯାତନା ଜନିତ ହତ୍ୟା ଏବଂ ଆରତି ମାଝି ଗଣ ଧର୍ଷଣରେ ସଂପୃକ୍ତ ଜିଲ୍ଲା ଏସ୍ପି ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା ବା ଧର୍ଷଣ ମାମଲାରେ ଜିରଫ କରାଯାଉ । ଆରତି ମାଝିଙ୍କୁ ନିର୍ଦୋଶରେ ଖଲାସ କରାଯାଉ ।
୫. ଆଶୁତୋଷ, କମଳାକାନ୍ତ ସେଠୀ, ସୁଜାତା, କିଶୋର ଜେନା, ପ୍ରତାପ, ମଞ୍ଜୁଲତା ସମେତ ନୟାଗଡ଼ ଅସ୍ତ୍ରାଗାର ଆକ୍ରମଣ ମାମଲାରେ ଗିରଫ ସବୁ ଲୋକଙ୍କୁ ଖଲାସ କରାଯାଉ ।
୬. କୋର୍ଟ ଦ୍ୱାରା ଖଲାସ ବ୍ୟକ୍ତିଙ୍କୁ ପୁଣି ନୂଆ ଅଭିଯୋଗ ଦ୍ୱାରା ଗିରଫ ବା ଜେଲ ମଧ୍ୟରେ ଅଟକ କରିବା ବନ୍ଦ କରାଯାଉ । ଏହି ପରିପ୍ରେକ୍ଷୀରେ ଶୁଭଶ୍ରୀ ଦାସ ଓ ରାୟଗଡ଼ାର ଲଳିତ ସମେତ ଅନ୍ୟ ସମସ୍ତ ପୁନଃ ଗିରଫ ବା ଅଟକ ବ୍ୟକ୍ତିଙ୍କୁ ବିନା ସର୍ତରେ ଖଲାସ କରାଯାଉ ।
୭. ଶତ୍ରୁଘ୍ନ ବିଶ୍ୱାଳ, ଉତମ, ଶେଖର, ସୁଦର୍ଶନ ମଣ୍ଡଳ, ରମେଶ ନାୟକ, ଲତା, ବିଜାଲ୍, ରତ୍ନା ସହରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ କେନ୍ଦୁଝର ସମେତ ସମସ୍ତ ଜିଲ୍ଲାରେ ମାଓବାଦୀ ବନ୍ଦୀ ନିରିହ ଲୋକଙ୍କୁ ଖଲାସ କରାଯାଉ ।
୮. ଜୋଡ଼ିଆ, କଣ୍ଡା ଦୋରା ଅବା କୁଇ, ଗଉଡ଼ କୁଇ, କୁମ୍ଭାର କୁଇ, ସଅର, ଓଡ଼ିଆ କନ୍ଧ, ଖଇରା ସମେତ ବିଭିନ୍ନ ଆଦିବାସୀଙ୍କ ଆଦିବାସୀ ମାନ୍ୟତା କଟାନଯାଉ ଓ ମାନ୍ୟତା ମିଳିଥିବା ଲୋକଙ୍କୁ ମାନ୍ୟତା ମିଳୁ ।
୯. ଓଡ଼ିଶାର ପ୍ରତି ଅଞ୍ଚଳରେ ଗାଁକୁ ପିଇବା ପାଣି, ଜମିକୁ ଜଳ, ପ୍ରତି ପଞ୍ଚାୟତରେ ମାଗଣା ଡ଼ାକ୍ତରଖାନା, ହାଇସ୍କୁଲ ଯାଏଁ ମାଗଣା ଶିକ୍ଷା ବ୍ୟବସ୍ଥା ରହୁ ।
୧୦. ପୋସ୍କୋ, ବେଦାନ୍ତ, କଳିଙ୍ଗନଗର ସମେତ ସମସ୍ତ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉପରେ ପୋଲିସ ଦମନ ବନ୍ଦ ହେଉ । ଅଭୟ ସାହୁ, ନାରାୟଣ ରେଡ୍ଡି ସମେତ ସବୁ ବିସ୍ଥାପନ ବିରୋଧୀ ନେତା ଓ କର୍ମୀଙ୍କୁ ଖଲାସ କରାଯାଉ ।
୧୧. ଗଣନାଥ ପାତ୍ର, ଦାରିଙ୍ଗବାଡ଼ି ପୂର୍ବତନ ଚେୟାରମେନ୍ ଓ ସୋନପୁର ସରପଞ୍ଚଙ୍କ ସ୍ୱାମୀ, ନାଚିକା ଲିଙ୍ଗାର ଭାଇ ଓ ଦୁଇ ସ୍କୁଲ ଛାତ୍ରଙ୍କ ସମେତ ପୋଲିସ ପ୍ରତିଶୋଧ ପରାୟଣ ହୋଇ ଗିରଫ କରିଥିବା ବିଭିନ୍ନ ଗଣଆନ୍ଦୋଳନର ନେତା, ମନବିରୋଧୀ ନେତାଙ୍କୁ ଖଲାସ କରାଯାଉ ।
ନେତିଂପର, ଗୁଡ଼ାରି ଓ ନାରାୟଣପାଟଣା ଜମି ଆନ୍ଦୋଳନ ବିରୁଦ୍ଧରେ ଲଗାତାର ଚାଲିଥିବା କେଶ୍ ସବୁ ରଦ୍ଧ କରାଯାଉ । ଯାହା ନାମରେ ଅନୁରୂପ କେଶ୍ ଦିଆଯାଇଛି ତାହା ପ୍ରତ୍ୟାହାର ହେଉ ଏବଂ ସେମାନଙ୍କୁ ଖଲାସ କରାଯାଉ ।
୧୨. ଚାପ ଓ ଧମକ ଦ୍ୱାରାକୋର୍ଟରେ ମିଛ ବୟାନ ଦେଇ ଆତ୍ମସମର୍ପଣର ଓ ବିପ୍ଲବୀ ଆନ୍ଦୋଳନ ବିରୁଦ୍ଧରେ କଭର୍ଟ ତିଆରିର ସବୁ ମିଛ ସରକାରୀ ନାଟକର ନିରପେକ୍ଷ ତଦନ୍ତ ହେଉ । ଆତ୍ମସମର୍ପଣ ପରେ ପୋଲିସ ଦ୍ୱାରା ଆହାତ ଭାଙ୍ଗିଥିବା ସଙ୍ଗୀତା ପ୍ରଧାନଙ୍କୁ ବର୍ଷବର୍ଷ ଧରି କେନ୍ଦୁଝର ପୋଲିସ ନଜରବନ୍ଦୀ କରି ରଖିବା ଘଟଣାର ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯାଉ ।
୧୩. ମାଲକାନଗିରି ଜିଲ୍ଲାପାଳ ବନ୍ଦୀ ବେଳେ ସରକାର ମାନିଥିବା ସବୁ ଦାବି ପୂରଣ କରୁ । ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ ସାଂଗଠନିକ କମିଟି ସଚିବ ସୁନୀଲଙ୍କ ଦସ୍ତଖତରେ ଏହି ଦାବିପତ୍ର ଆସିଛି ।
ଓଡ଼ିଶା ଡ଼ଟ୍ କମ୍