Site icon Odisha.com

ଦୁଇ ନୂଆ ମଧ୍ୟସ୍ଥିଙ୍କ ନାମ ଦେଲେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଅନୁଯାୟୀ ମାଓବାଦୀମାନେ ପୁଣି ଦୁଇ ନୂଆ ମଧ୍ୟସ୍ଥିଙ୍କ ନାମ ଦେଇଛନ୍ତି ।

ଏହି ପ୍ରସ୍ତାବ ଅନୁଯାୟୀ ସେମାନେ ମଙ୍ଗଳବାର ରାତିରେ ପ୍ରଫୁଲ୍ଲ ସାମନ୍ତରା ଏବଂ ବିଡ଼ି ଶର୍ମାଙ୍କ ନାମ ଦେଇଥିବା ବେଳେ ସମୟସୀମାକୁ ମଧ୍ୟ ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମଧ୍ୟସ୍ଥତା ପାଇଁ ମାଓନେତା ନାରାୟଣ ସାନ୍ୟାଲ, ଦଣ୍ଡପାଣି ମହାନ୍ତି ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ନାମ ପୂର୍ବରୁ ମାଓବାଦୀମାନେ ସୁପାରିସ କରିଥିଲେ । ସାନ୍ୟାଲ ଏବଂ ବିଶ୍ୱପ୍ରିୟଙ୍କ ମଧ୍ୟସ୍ଥତାକୁ ସରକାର ଗ୍ରହଣ ନକରି ନୂଆ ମଧ୍ୟସ୍ଥିଙ୍କ ନାମ ସୁପାରିଶ ପାଇଁ ପ୍ରସ୍ତାବ ଦେଇଥିଲେ ।

ସାନ୍ୟାଲ ବର୍ତମାନ ଛତିଶଗଡ଼ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବାରୁ ସେ ମଧ୍ୟସ୍ଥତା କରିବା ସମ୍ଭବ ନୁହେଁ ଏବଂ କାନୁନ୍ଗୋ ମାଓବାଦୀଙ୍କ ପକ୍ଷରୁ ମଧ୍ୟସ୍ଥତା କରିବାକୁ ରାଜି ନୁହନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ।

ତେବେ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ସଚିବ, ଗୃହ ସଚିବ ଏବଂ ଆଦିବାସୀ କଲ୍ୟାଣ ବିଭାଗ ସଚିବ ମଧ୍ୟସ୍ଥତା କରିବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version