Site icon Odisha.com

ପରିମାଣିକ ଦର୍ଶନ ନେଇ ପ୍ରଶାସନ-ସେବାୟତ ବିବାଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିରରେ ପରିମାଣିକ ଦର୍ଶନ ପାଇଁ କରାଯାଇଥିବା ନୂତନ ବ୍ୟବସ୍ଥାକୁ ବିରୋଧ କରି ବୁଧବାର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମନ୍ଦିରରେ ନୀତି ବନ୍ଦ ହୋଇଛି ।

ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ଖୋଲା ଯାଇନାହିଁ କିମ୍ବା ଠାକୁରଙ୍କ ପହଡ଼ ଭଙ୍ଗା ଯାଇନାହିଁ । ଠାକୁରଙ୍କ ମଙ୍ଗଳ ଆଳତୀ ନୀତି ମଧ୍ୟ ସଂପନ୍ନ ହୋଇନାହିଁ ଫଳରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ଜିଲ୍ଲାପାଳ, ଅରକ୍ଷୀ ଅଧିକ୍ଷକ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସେବାୟତଙ୍କ ସହ ଦୀର୍ଘ
ସମୟ ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ସୂତ୍ର ବାହାରି ନଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଗର୍ଭଗୃହରେ ପରିମାଣିକ ଟିକେଟ୍ଧାରୀଙ୍କୁ ଦର୍ଶନର ସୁଯୋଗ ଦିଆଯିବା ଫଳରେ ଳାଚକଟା ଭଳି ଅଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଦର୍ଶାଇ ବିଭିନ୍ନ ସମୟରେ ଗଠିତ ଉଚ୍ଚସ୍ତରୀୟ କମିଶନ ଓ କମିଟିଙ୍କ ପକ୍ଷରୁ ଏହା ବନ୍ଦ କରିବା ପାଇଁ ସୁପାରିଶ କରାଯାଇଥିଲା ।

ତଦନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ବିଭିନ୍ନ ନିଯୋଗର କର୍ମକର୍ତା ଓ ସେବାୟତଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ପରିମାଣିକ ଦର୍ଶନ ଦ୍ୱାରାନୀତି ବିଳମ୍ବ ହେଉଥିବାରୁ ଗର୍ଭଗୃହ ପରିବର୍ତେ ଭିତର କାଠ ସାମ୍ନାରେ ପରିମାଣିକ ଦର୍ଶନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଗତ ୩ ତାରିଖ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବଜେଟ୍ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଯଥାଶୀଘ୍ର ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ଆଜିଠାରୁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାରୁ ସେବାୟତମାନେ ବିରୋଧ କରିଥିଲେ, ଫଳରେ ନୀତି ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version