Site icon Odisha.com

ପ୍ରଶ୍ନପତ୍ର ଚୋରି ଯୋଗୁଁ ମ୍ୟାଟ୍ରିକ ପରୀକ୍ଷା ବାତିଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ଏକ ସ୍କୁଲରେ ପ୍ରଶ୍ନପତ୍ର ଚୋରି ପରେ ମାଧ୍ୟମିକ ଶିକ୍ଷା ପରିଷଦ , ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତି କ୍ରମେ ବୁଧବାର ମ୍ୟାଟ୍ରିକ ପରୀକ୍ଷାକୁ ବାତିଲ କରିିଆଯାଇଛି ।

କେବଳ ଆରମ୍ଭରୁ ହୋଇଥିବା ସାହିତ୍ୟ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ବିଷୟ ପରୀକ୍ଷା ଘୁଂଚାଇ ଦିଆଯାଇଛି । ତେବେ ଏକ୍ସରେଗୁଲାର ଓ ମଧ୍ୟମା ପରୀକ୍ଷା ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

୨୦ଦିନମଧ୍ୟରେ ନୂଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ଏବଂ ନୂଆ ନୋଟିସ୍ ମାଧ୍ୟମରେ କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ ତାହା ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ।

ଏହାସହିତ ପରୀକ୍ଷା କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷା ନିୟନ୍ତ୍ରଣ କମିଟି ବୈଠକରେ ସ୍ଥିର ହୋଇଛି ।

ଏହି ଘଟଣାରେ ଉକ୍ତ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଏବଂ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି ।

କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠ କେନ୍ଦ୍ରରୁ ମଙ୍ଗଳବାର ରାତିରେ ରେଗୁଲାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ଦୁର୍ବୃତମାନେ ସ୍କୁଲ ଆଲମାରୀ ଭାଙ୍ଗି ସେଥିରୁ ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ବିଜ୍ଞାନ-୧, ବିଜ୍ଞାନ-୨ ଏବଂ ଇତିହାସ ଭୂଗୋଳ ପ୍ରଶ୍ନପତ୍ର ଚୋରି କରି ନେଇଥିଲେ ।

ସାଇନ୍ଟିଫିକ୍ ଓ ଫରେନ୍ସିକ୍ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନପତ୍ର ଚୋରି ଏବଂ ପରୀକ୍ଷା ବାତିଲକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version