Site icon Odisha.com

୨୪ରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖ ଶନିବାର ଠାରୁ ରାଜ୍ୟରେ ସକାଳୁଆ ସ୍କୁଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରୀ ଓ
ବେସରକାରୀ ସ୍କୁଲ ଗୁଡ଼ିକ ସକାଳୁଆ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକର ନିଷ୍ପତି ସଂପର୍କରେ ସମସ୍ତ ଆରଡିସି, ଜିଲ୍ଲାପାଳ ଓ ସିଡିଏମ୍ଓ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଆଲୋଚନା କରିବା ସହ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଗ୍ରାମ ଓ ସହରର ସବୁ ସ୍ଥାନରେ
ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଏଥି ସହିତ ଅଚଳ ନଳକୂପ ଗୁଡ଼ିକୁ ଯଥାଶୀଘ୍ର ମରାମତି କରିବା, ପାଇପ ଜଳ ଯୋଗାଣର
ସୁପରିଚାଳନା, ଜଳାଭାବ ଥିବା ସ୍ଥାନରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ସପ୍ତାହକ ମଧ୍ୟରେ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ଭୁବନେଶ୍ୱରର ତାପମାତ୍ରା ୪୦.୭ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ମାଲକାନାଗିରି ଓ ଟିଟିଲାଗଡ଼ର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version