Site icon Odisha.com

ପର୍ଯ୍ୟଟକ ଅପହରଣ: ମଧ୍ୟସ୍ଥିଙ୍କ ସହ ସରକାରଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ପାଇଁ ସରକାର ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ଦୁଇ ମଧ୍ୟସ୍ଥିଙ୍କ ସହ ଗୁରୁବାର ଆଲୋଚନା ଆରମ୍ଭ କରିଛନ୍ତି ।

ରାଜ୍ୟ ଅତିଥି ଭବନରେ ସରକାରଙ୍କ ତିନି ଅଧିକାରୀ ଓ ଦୁଇ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ଡ଼ିଡ଼ି ଶର୍ମାଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣେ ଅଧିକାରୀ କହିଛନ୍ତି ।

ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଏବଂ ଆଦିବାସୀ କଲ୍ୟାଣବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ଆସନ୍ତାକାଲି ପୁଣି ଆଲୋଚନା ହେବ ବୋଲି ସେ କହିଛନ୍ତି ।

ମାଓବାଦୀମାନଙ୍କ ୧୩ ଦଫା ଦାବିକୁ ସରକାରୀ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି ।

ସେମାନେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆସନ୍ତାକାଲି ସୁଦ୍ଧା ଆମକୁ ଜଣାଇବେ ବୋଲି ଆଲୋଚନା ପରେ ଦଣ୍ଡପାଣି ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଆଲୋଚନାକୁ ଫଳପ୍ରଦ କରିବା ପାଇଁ ତିହାର ଜେଲ୍ ରେ ଥିବା କୋବାଡ ଗାନ୍ଧି, ବିଶାଖାପାଟଣା ଜେଲ୍ ରେ ଥିବା ଅମିତ୍ ବାଗ୍ଚିଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଆଣିବାକୁ ହେବ ।

ସେମାନଙ୍କ ମଧ୍ୟରୁ ଜଣକୁ ଏଠାକୁ ନ ଆଣିଲେ ଆଲୋଚନାର ଫଳାଫଳ ମାଓବାଦୀଙ୍କ ନିକଟରେ ପହଞ୍ଚିଯାଇ ପାରିବନାହିଁ ।

ତେବେ ଅପହୃତ ଦୁଇ ପର୍ଯ୍ୟଟକଙ୍କର କୌଣସି କ୍ଷତି ନଘଟାଇବା ପାଇଁ ଆମେ ମାଓବାଦୀ ମାନଙ୍କୁ ନିବେଦନ କରୁଛୁ ଏବଂ ଦୁଇ ପର୍ଯ୍ୟଟକ ମଧ୍ୟ ସୁସ୍ଥ ଅଛନ୍ତି ।

ତେବେ ମଧ୍ୟସ୍ଥିଙ୍କ ସହ ଆଲୋଚନା ପୂର୍ବରୁ ସରକାର ଦୁଇଟି ଦାବି ମାନିନେଲେ ଅପହୃତ ଜଣେ ବ୍ୟକ୍ତିଙ୍କୁ ଆମ ଲୋକ ଛାଡ଼ିଦେବେ ବୋଲି ମାଓନେତା ସବ୍ୟସାଚୀ ପଣ୍ଡା କେତେକ ଗଣମାଧ୍ୟମକୁ ଟେଲିଫୋନ୍ କରି କହିଛନ୍ତି ।

ପତ୍ନୀ ସୁଭଶ୍ରୀ ପଣ୍ଡାଙ୍କ ସମେତ ପାଞ୍ଚ ଜଣ ମାଓବାଦୀଙ୍କୁ ଜେଲରୁ ମୁକ୍ତ କରିବା ବଦଳରେ ଜଣେ ବିଦେଶୀ ନାଗରିକଙ୍କୁ ଛାଡ଼ିିଆଯିବ ବୋଲି ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version