ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରାଶାସକ ବିଜୁ ଜନତା ଦଳର ଜଣେ ବିଧାୟକଙ୍କ ଅପହରଣ ପରେ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ନେଇ ମଧ୍ୟସ୍ଥି ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଶନିବାର ସ୍ଥଗିତ ରହିଛି ।
ଦୀର୍ଘ ତିନିଦିନ ଧରି ଏହି ଆଲୋଚନା ଚାଲିବା ପରେ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥି ଏବଂ ସରକାରଙ୍କ ଦ୍ୱାରାନିଯୁକ୍ତ ଅଧିକାରୀମାନେ ଆଲୋଚନା ସ୍ଥଗିତ ସଂପର୍କରେ ଘୋଷଣା କରିଥିବା ବେଳେ ଏହା ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା କହିଛନ୍ତି ।
ପୁଣି କେବେ ଆଲୋଚନା କରାଯିବ ସେ ସଂପର୍କରେ ସେମାନେ କୌଣସି ସୂଚନା ଦେଇନାହାନ୍ତି ।
ଏଭଳି ପରିସ୍ଥିତି ପାଇଁ ଉଭୟ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ବିଡ଼ି.ଶର୍ମା ରାଜ୍ୟ ସରକାର ଓ ମାଓବାଦୀଙ୍କୁ ଦାୟୀ କରିଛନ୍ତି ।
ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ଅପହରଣ ପରେ ସିପିଆଇ ମାଓବାଦୀ ରାଜ୍ୟ କମିଟି ଅସ୍ତ୍ର ବିରତି ଘୋଷଣା କରିଥିବା ବେଳେ ମାଓବାଦୀମାନେ କୌଣସି ହିଂସାକାଣ୍ଡ ନଘଟାଇବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା, ମଧ୍ୟସ୍ଥି ଦ୍ୱୟ ଗଣମାଧ୍ୟମକୁ କହିଛନ୍ତି ।
“କିନ୍ତୁ ଭୁବନେଶ୍ୱରରେ ଆମେ ଆଲୋଚନା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଶାନ୍ତିଭଙ୍ଗ ଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି । ଏହା ଶାନ୍ତିପୂର୍ଣ୍ଣ ଆଲୋଚନା ପ୍ରତି ଅପମାନ ବୋଲି ଆମେ ଅନୁଭବ କଲୁ । ତେଣୁ ଆମେ ଆଲୋଚନା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଲୁ” ସେମାନେ କହିଛନ୍ତି ।
ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥିଙ୍କ ଅନୁରୋଧ ପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ ମଧ୍ୟସ୍ଥତା କରୁଥିବା ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।
ଗତ ଦଶଦିନ ଧରି ମାଓବାଦୀଙ୍କ ଦ୍ୱାରାଅପହୃତ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାର ଓ ମଧ୍ୟସ୍ଥିଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ମାଓବାଦୀମାନେ ବିଜେଡ଼ି ବିଧାୟକ ୩୭ ବର୍ଷ ବୟସ୍କ ଝିନ୍ନହିକକାଙ୍କୁ ଶନିବାର ଭୋର ସମୟରେ ଅପହରଣ କରିନେଇଥିଲେ ।
ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।
ଉଭୟଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।
ସେହିପରି ଏହି ଆଲୋଚନା ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଗତ ଗୁରୁବାର ଜଣେ ପୋଲିସ ଏସ୍ଆଇଙ୍କୁ ଗୁଳିକରି ହତ୍ୟା କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍