ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୁଇଦିନ ପରେ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ସୋମବାର ଏକ ଚିଠି ଦ୍ୱାରା ସରକାରଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି ।
ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ପକ୍ଷରୁ ଆସିଥିବା ଏହି ଚିଠିରେ ମାଓବାଦୀ ନେତା ଜଗବନ୍ଧୁ ଓ ୟାଙ୍କ ସ୍ୱାକ୍ଷର ରହିଛି ।
କୁମ୍ବିଂ ଅପରେଶନ, ଗ୍ରୀନ୍ ହଣ୍ଟ ଓ ପୋଲିସ ତଦନ୍ତ ବନ୍ଦ କରିବା, ମାଲକାନଗିରି ଜିଲ୍ଲାପାଳ ମୁକ୍ତି ସମୟରେ ହୋଇଥିବା ଚୁକ୍ତି ପାଳନ କରିବା, ଜେଲରେ ଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବା, ବ୍ରହ୍ମପୁରରେ ଗିରଫ ହୋଇଥିବା ଚାଷିମୂଲିଆ ଆଦିବାସୀ ସଂଘ ନେତାଙ୍କୁ ତୁରନ୍ତ ଖଲାସ କରିବାକୁ ସେମାନେ ଦାବି କରିଛନ୍ତି ।
ଏହାସହ ବନ୍ଦୀ ମାନଙ୍କୁ କେବେ ମୁକ୍ତ କରାଯିବ ସରକାର ସେନେଇ ଗଣମାଧ୍ୟମକୁ ଜଣାନ୍ତୁ ଓ ପରେ ବିଧାୟକଙ୍କ ମୁକ୍ତି ନେଇ ତାରିଖ ଘୋଷଣା କରାଯିବ ବୋଲି ଏଥିରେ ର୍ଶାଯାଇଛି । ମୁକ୍ତି ପାଇଁ ପୋଲିସ ତଦନ୍ତ କରାଗଲେ ଚରମ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଗତ ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।
ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍