ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କର୍କଟ ରୋଗର ନିରୂପଣ ଓ ଆକ୍ରାନ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବୁର୍ଲା ଏବଂ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲରେ ଉନ୍ନତତମ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।
ଏନ୍ପିସିଡିସିଏସ୍ କାର୍ଯ୍ୟକ୍ରମ ମାଧ୍ୟମରେ ବୁର୍ଲ୍ଲା ସ୍ଥିତ ଭିଏସ୍ଏସ୍ ଏବଂ ବ୍ରହ୍ମପୁର ସ୍ଥିତ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଉନ୍ନତତମ କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସୋମବାର କହିଛନ୍ତି ।
ପ୍ରତ୍ୟେକ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରାମ୍ଭିକ ଭାବେ ୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆର୍ଥିକ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଫଳରେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର ଲୋକମାନେ ଉନ୍ନତ ମାନର ରୋଗ ନିରୂପଣ ଓ ଚିକିତ୍ସା ସୁବିଧା ପାଇ ପାରିବେ । ଗତ ୨୦୧୧ ଅପ୍ରେଲ ୩୦ରେ ନୂଆପଡା ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଏହା ସଂପ୍ରସାରିତ କରାଯାଇଛି ।ଦ୍ଵାଦଶ ଯୋଜନା କାଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍