Site icon Odisha.com

ପ୍ରଶ୍ନପତ୍ର ଚୋରୀ: କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରୀ ଘଟଣାରେ ଦାୟୀ ଅଧିକାରୀ ତଥା କର୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସୋମବାର କଟକ ଠାରେ ଅଲ୍ ଇଣ୍ଡିଆ ଡ଼ିଏସ୍ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନ ପତ୍ରକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ଭାବରେ ପରୀକ୍ଷା ତଥା ଉପଯୁକ୍ତ ପଦ୍ଧତିରେ ମୂଲ୍ୟାୟନ କରି ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ପ୍ରକାଶନର ବ୍ୟବସ୍ଥା କରିବାକୁ
ସେମାନେ ଦାବି କରିଛନ୍ତି ।

ଏହାସହ ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ସରକାର ବହନ କରିବା ଦାବିରେ ଡ଼ିଏସ୍ଓ ଓଡ଼ିଶା ପରିଷଦ ପକ୍ଷରୁ କଟକ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନପତ୍ର ଚୋରୀ ଓ ପରୀକ୍ଷା ଘୁଂଚିବା ଫଳରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନସିକ ଚାପର ଶିକାର ହେବା ସହ ସେମାନଙ୍କର ଅଭିଭାବକମାନେ ଅଯଥା ଖର୍ଚ୍ଚାନ୍ତ ହେବେ ବୋଲି ସେମାନେ କହିଛନ୍ତି ।

ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ, ପରୀକ୍ଷା ପରିଚାଳନା, ଖାତା ଦେଖା,ପରୀକ୍ଷା ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ଫଳରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଛି ।

ଉପରୋକ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ବ୍ୟାପକ କରିବାକୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀଙ୍କୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version