Site icon Odisha.com

୧୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘ ୧୨ ବର୍ଷ ପରେ କଟକ ଜିଲ୍ଲାର ଜଣେ ଯୁବକ ଘରକୁ ଫେରିଥିବା ବେଳେ ହଜିଲା ପୁଅକୁ ପାଇ ତାଙ୍କ ପରିବାର ଲୋକେ ଆନନ୍ଦରେ ବିମୋହିତ ହୋଇପଡ଼ିଛନ୍ତି ।

ଆଠଗଡ ଥାନା ଭାଗିରଥିପୁର ଗ୍ରାମର ନାରାୟଣ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ସୋମବାର ଘରକୁ ଫେରି ଆସିବା ପରେ କେବଳ ପରିବାର ଲୋକ ନୁହେଁ ଗାଁରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

ପାକିସ୍ତାନ ଜେଲରେ ସଜା ଭୋଗିବା ପରେ ବେଣୁଧର ରେଡକ୍ରସ ସହାୟତାରେ ନିଜ ଘର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ।

ପୁଅକୁ ଫେରିପାଇ ମା’ ବାସନ୍ତୀ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି । ଉକ୍ତ ଯୁବକଙ୍କୁ ଫେରି ପାଇବେ ବୋଲି ପରିବାର ଲୋକେ ଆଶା କରି ନ ଥିଲେ । ବହୁତ ଖୋଜାଖୋଜି କରିବା ପରେ ଭାଗ୍ୟକୁ ଆଦରିଚୁପ୍ ରହିଥିଲେ ।

ଗତ ଫେବୃଆରୀ ମାସରେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବେଣୁଧର ଅମୃତସରରେ ଥିବା ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଓଡିଶା ରେଡକ୍ରସ ଶାଖାର ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା ।

କୌଣସି କଥାକୁ ନେଇ ଘରେ ଗାଳି ଦେବାରୁ ବେଣୁଧର ରାଗି ଅନ୍ୟତ୍ର ପଳାଇଥିଲେ । ଏ ନେଇ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।

ତେବେ ଗତ ବର୍ଷ କିଛି ପୋଲିସ ଅଧିକାରୀ ଗାଁକୁ ଆସି ବୀରୁ ନାମଜ ଯୁବକଙ୍କ ନିଖୋଜ ଥିବା ସଂପର୍କରେ ପଚରାଉଚରା କରିଥିଲେ । ବୀରୁ ନାମରେ କେହି ନ ଥିବାରୁ ସେମାନେ ତାଙ୍କ ବାପାଙ୍କ ନାମ ନାରାୟଣ କହିବା ପରେ ବେଣୁଧରଙ୍କ ସଂପର୍କରେ ତଥ୍ୟ ନେଇ ଯାଇଥିଲେ ।

ଫେବୃଆରୀ ୨୫ ତାରିଖରେ ଆଠଗଡ ପୋଲିସ ଗାଁକୁ ଆସି ବେଣୁଧର ଆସିଛନ୍ତି କି ନାହିଁ ସେ ନେଇ ପଚାରି ବୁଝିଥିଲେ । କିନ୍ତୁ ସେ କେଉଁଠି ଅଛନ୍ତି କିଛି କହି ନଥିଲେ । ଏନେଇ ସେମାନେ ଉଚ୍ଚ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ।

ତେବେ ଚଳିତ ମାସରେ ବେଣୁଧର ପାକିସ୍ତାନ ଜେଲରେ ଥିବା ପରିବାର ଲୋକେ ରେଡକ୍ରସ ପକ୍ଷରୁ ଜାଣିବାକୁ ପାଇଥିଲେ । ସେ ଭୁଲବଶତଃ ସେତେବେଳେ ସମଝୌତା ଏକ୍ସପ୍ରେସରେ ପାକିସ୍ତାନ ଚାଲି ଯାଇଥିଲେ ।

ଦଣ୍ଡର ସମୟସୀମା ଶେଷ ହେବା ପରେ ପାକିସ୍ତାନ ପୋଲିସ ଗତ ଫେବୃଆରୀ ୧୬ରେ ୧୧ ଜଣ ଭାରତୀୟଙ୍କୁ ମୁକ୍ତ କରି ଭାରତକୁ ପଠାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ବେଣୁଧର ମଧ୍ୟ ଥିଲେ ।

ସେଠାରେ ଯାଞ୍ଚ ସମୟରେ ତାଙ୍କ ପାଖରେ ଭିସା ଓ ପାସପୋର୍ଟ ନ ଥିବାରୁ ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଅନୁପ୍ରବେଶ ଅଭିଯୋଗରେ ସେଠାରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version