Site icon Odisha.com

ନିର୍ମାଣ କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୮(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ନିର୍ମାଣ କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି ।

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ ହୋଇଯାଇଥିବାରୁ ସ୍କୁଲ ଶିକ୍ଷକମାନେ ସେମାନଙ୍କୁ ଏହି କାମରେ
ନିୟୋଜିତ କରୁଥିବାରୁ ବିଦ୍ୟାଧରପୁର ପଂଚାୟତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍କୁଲ ଗୁଡ଼ିକ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଥିବା ସତ୍ୱେ ଶିଶୁ ଅଧିକାର ଆଇନକୁ ଉଲଂଘନ କରି ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟରେ ଲଗାଯାଉଥିବା ସେମାନେ କହିଛନ୍ତି ।

ସେମାନଙ୍କୁ ପାଠ ପଢାଇବା ପରିବର୍ତେ ନିର୍ମାଣ କାର୍ଯ୍ୟ, ପାଇଖାନା ସଫା ତଥା ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବାରୁ ସରକାରୀ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପାଠ ନପଢାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ଗ୍ରୀଷ୍ମ ଛୁଟି ପୂର୍ବରୁ ସ୍କୁଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସର୍ବଶିକ୍ଷା ଅଭିଯାନ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବାରୁ ସଂପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକମାନେ ଏହି କାମ କରାଉଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କୁ ଏଭଳି କାମରେ ଲଗାଯାଉଥିବାରୁ ଏହା ଉପରେ ତଦନ୍ତ କରାଯିବା ଆବଶ୍ୟକ
ବୋଲି ଏହି ପଂଚାୟତର ପୂର୍ବତନ ସରପଂଚ ଦୀପକ ରଂଜନ ମଲ୍ଲିକ କହିଛନ୍ତି ।

ସ୍କୁଲ ଶିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାଠ ପଢା ସମୟରେ ଆମେ ନିର୍ମାଣ କାମ ପାଇଁ ଚିପ୍ସ ଆଣିଥାଉ ବୋଲିଦ୍ୱିତୀୟ ଶ୍ରେଣୀ ଛାତ୍ରୀ ରୋଜାଲିନ୍ ଦାସ କହିଛନ୍ତି ।

ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି । ସେମାନେ ସ୍କୁଲ ପରିସର
ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ସଫେଇ କରିଥାନ୍ତି, ସେ କହିଛନ୍ତି ।

“”ଏହି ବିଷୟରେ ବିଭାଗ ନିକଟକୁ କୌଣସି ପ୍ରକାର ଅଭିଯୋଗ ଆସି ନାହିଁ , ନିର୍ମାଣ କାର୍ଯ୍ୟରେ ଛାତ୍ରୀଙ୍କୁ ନିୟୋଜିତ କରିବା ବେଆଇନ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଆସୁଛି” ସର୍ବଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ଦାସ କହିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଏନେଇ ଅଭିଯୋଗ ମିଳିଛି ଏବଂ ଜଣେ ସ୍କୁଲ ଇନ୍ସପେକ୍ଟରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ତିର୍ତୋଲ ସ୍କୁଲ ଡ଼ିଆଇ ଗଦାଧର ବେହେରା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version