Site icon Odisha.com

ବିକ୍ଷୋଭକାରୀ ଗଣଶିକ୍ଷକ ପୋଲିସ ମୁହାଁମୁହିଁ, ୪୦ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ଗଣଶିକ୍ଷକ ଓ ପୋଲିସ ମଙ୍ଗଳବାର ମୁହାଁ ମୁହିଁ ହୋଇଥିବା ବେଳେ ଏଥିରେ ଉଭୟ ପକ୍ଷର ୪୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି ।

ଶିକ୍ଷକଙ୍କ ଢେଲା ମାଡ଼ରେ ୧୯ ପୋଲିସ ଆହତ ହୋଇଥିବା ବେଳେ ଲାଠି ମାଡ଼ରେ ୩୦ ଶିକ୍ଷକ- ଶିକ୍ଷୟିତ୍ରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି ।

ଶିକ୍ଷକମାନେ ବାରିକେଡ୍ ଭାଙ୍ଗି ବିଧାନସଭାକୁ ଯିବାକୁ ଉଦ୍ୟମ କରିଥିବା ବେଳେ ଏହାକୁ ନିୟନ୍ତ୍ରଣକରିବାକୁ ଯାଇ ପୋଲିସ ପକ୍ଷରୁ ପ୍ରଥମେ ପାଣିମାଡ଼ କରାଯାଇଥିଲା । ପରେ ଶିକ୍ଷକମାନେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ ।

ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠି ମାଡ଼ କରାଯାଇଥିଲା । ପାଣିମାଡ଼ କରୁଥିବା ମକଳ ବାହିନୀର କେତେକ କର୍ମଚାରୀ ମଧ୍ୟ ଢେଲାମାଡ଼ରେ ଆହତ ହୋଇଛନ୍ତି ।

୭ଦଫା ଦାବି ନେଇ ଗତ ଶୁକ୍ରବାର ଠାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ୍ ପକ୍ଷରୁ ଶିକ୍ଷକ
ସମାବେଶ ଚାଲିଥିଲା ।

୬ଷ୍ଠ ବେତନ କମିଶନର ସୁପାରିସ ଅନୁଯାୟୀ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ,
ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟକାଳ ୫୮ରୁ୬୦ ବର୍ଷକୁ ବୃଦ୍ଧିକରିବା, ଶିକ୍ଷାକର୍ମୀ ଓ ଜିଲ୍ଲା ପରିଷଦ ଶିକ୍ଷା ସହାୟକଙ୍କ କାର୍ଯ୍ୟକଳାପକୁ ସ୍ଥାୟୀ କରିବା ପାଇ ସେମାନେ ଦାବି କରି ଆନ୍ଦୋଳନ ଚଳାଇଥିଲେ ।

ତେବେ ଗଣଶିକ୍ଷକ ମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ତଥା ବ୍ୟକ୍ତି ନିନ୍ଦା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version