Site icon Odisha.com

ମାଓବାଦୀଙ୍କ ଦାବି ସଂପର୍କରେ ତର୍ଜମା ଚାଲିଛି: ନବୀନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀମାନେ କରିଥିବା ଦାବି ସଂପର୍କରେ ସରକାର ତର୍ଜମା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ମାଓବାଦୀମାନେ ଦେଇଥିବା ସାତ ଦଫା ଦାବି ସମ୍ବଳିତ ପତ୍ର ଏବଂ ବିଧାୟକଙ୍କ ପତ୍ର ସରକାରଙ୍କ ହସ୍ତଗତ ହୋଇଛି । ବିଧାୟକ ହିକକାଙ୍କ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ସେ କହିଛନ୍ତି ।

ସରକାରଙ୍କ ସହ ଆଲୋଚନା ପାଇଁ ମାଓବାଦୀମାନେ କୌଣସି ମଧ୍ୟସ୍ଥି ଦେବାକୁ ମନା କରିେଇଥିବା ବେଳେ ଦାବି ପୂରଣ ନେଇ ଗଣମାଧ୍ୟମ ଜରିଆରେ ଜଣାଇବାକୁ କହିଛନ୍ତି, ସେ କହିଛନ୍ତି ।

କୁମ୍ବିଂ ଅପରେଶନ ବନ୍ଦ କରିବା, ମାଲକାନଗିରି ଜିଲ୍ଲାପାଳ ମୁକ୍ତି ସମୟରେ ହୋଇଥିବା ଚୁକ୍ତି ପାଳନ କରିବା, ବିଧାୟକଙ୍କ ମୁକ୍ତି ପାଇଁ ହେଉଥିବା ର୍ୟାଲି ଓ ଶୋଭାଯାତ୍ରା ବନ୍ଦ କରିବା, କୋରାପୁଟ ଏବଂ ମାଲକାନଗିରି ଜେଲରେ ଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି, ସେ କହିଛନ୍ତି ।

ହିକକା ଜଣେ ଆଦିବାସୀ ନେତା ଭାବରେ ଗରିବ ଆଦିବାସୀଙ୍କ ପାଇଁ କାମ କରୁଥିବା ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ନିବେନଦ କରିଛନ୍ତି ।

ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

ବିଧାୟକଙ୍କ ଅପହରଣ ସଂପର୍କରେ ସିପିଆଇ ମାଓବାଦୀ ସଂଗଠନର କୋରାପୁଟ-ସିକାକୁଲମ ଡ଼ିଭିଜନ ପକ୍ଷରୁ ଗତକାଲି ଚିଠି ମାଧ୍ୟମରେ ଦାବି ଉପସ୍ଥାପନ କରାଯିବା ପରେ ଏହି ବୈଠକ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗତ ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ତେବେ ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ସରକାର ଓ ମାଓ ମଧ୍ୟସ୍ଥିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version