Site icon Odisha.com

ମାଓ ମଧ୍ୟସ୍ଥି-ସରକାର ଆଲୋଚନା ପୁଣି ସ୍ଥଗିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓ ମଧ୍ୟସ୍ଥି ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ପୁଣି ସ୍ଥଗିତ ହୋଇଛି ।

ଦାବି ପୂରଣ ବଦଳରେ ସରକାର ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଥିବାରୁ ଆଲୋଚନାକୁ ସ୍ଥଗିତ ରଖାଯାଇଛି ବୋଲି ଦୁଇ ମାଓ ମଧ୍ୟସ୍ଥି ବି.ଡ଼ି ଶର୍ମା ଏବଂ ଦଣ୍ଡପାଣି ମହାନ୍ତି ବୁଧବାର ଗଣମାଧ୍ୟମକୁ କହିଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ନେଇ ଚାଲିଥିବା ଆଲୋଚନା ସମୟରେ ମଧ୍ୟସ୍ଥିମାନେ କିଛି ନୂଆ ଦାବି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିବୃତି ଦେଇଥିବାରୁ ସେମାନେ ଏହାକୁ ଖଣ୍ଡନ କରିଛନ୍ତି ।

ମଧ୍ୟସ୍ଥିଙ୍କ ପକ୍ଷରୁ କୌଣସି ନୂଆ ଦାବି ଦିଆଯାଇ ନାହିଁ । ମାଓବାଦୀ ଦେଇଥିବା ୧୩ ଦଫା ଦାବି ଉପରେ କେବଳ ଆମର ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲୁ । ମୁଖ୍ୟମନ୍ତ୍ରୀ ଅଯଥା ବିଭ୍ରାନ୍ତି କରୁଛନ୍ତି ଏବଂ ବିଧାନସଭାରେ ଭୂଲ ତଥ୍ୟ ଦେଇଛନ୍ତି ବୋଲି ଦଣ୍ଡପାଣି କହିଛନ୍ତି ।

ଅପହୃତ ପର୍ଯ୍ୟଟକ ପାଓଲୋ ବାସୁସ୍କୋଙ୍କ ମୁକ୍ତି ସଂପର୍କରେ ମାଓ ମଧ୍ୟସ୍ଥିମାନଙ୍କ ପକ୍ଷରୁ ଦିଆଯାଇଥିବା କେତେକ ଅତିରିକ୍ତ ଦାବି ସରକାରଙ୍କ ହସ୍ତଗତ ହୋଇଛି ।

ଏହା ଉପରେ ଅନୁସଂଧାନ କରାଯାଉଛି ଓ ଏଥିପାଇଁ ଅଧିକ ସମୟ ଲାଗିବ ଏବଂ ଚାଲିଥିବା ଆଲୋଚନା ଆଉ କିଛି ସମୟ ବିଳମ୍ବ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବୁଧବାର କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version