Site icon Odisha.com

ପୋଲିସ ଆଧୁନିକୀକରଣ ପାଇଁ ଯୋଜନା ନାହିଁ: ସିଏଜି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଓଡିଶା ପୋଲିସର ଆଧୁନିକୀକରଣ ପାଇଁ ଦୀର୍ଘ ମିଆଦୀ ଯୋଜନା ନାହିଁ ବୋଲି ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଉପସ୍ଥାପନ କରିଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସର କାର୍ଯ୍ୟ ଦକ୍ଷତା କିମ୍ବା କ୍ରିୟାଶୀଳତା ବୃଦ୍ଧି କରାଯାଉ ନାହିଁ । ବିଶେଷକରି ଆଧୁନିକୀକରଣ ନିମନ୍ତେ ଉଦ୍ଧିଷ୍ଟ ଅର୍ଥର ୫୫ ପ୍ରତିଶତ ଗୃହ ନିର୍ମାଣରେ ଖର୍ଚ୍ଚ କରାଯାଉଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ମାତ୍ର ୧୧.୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଉଛି, ରିପୋର୍ଟରେ କୁହାଯାଇଛି ।

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀ ବଢୁଥିବା ସତ୍ୱେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ୬୧ ପ୍ରତିଶତ ଅଭାବ ରହିଛି । କିଛିିଦିନ ତଳେ ୧୩ କୋଟି ୮୩ ଲକ୍ଷ ଟଙ୍କାର ଉନ୍ନତମାନର ଅସ୍ତ୍ରଶସ୍ତ୍ର ସହିତ ମୋଟ ୧୮ କୋଟି ୮୦ ଲକ୍ଷ ଟଙ୍କାର କ୍ରୟ କରାଯାଇଛି ।

ମାତ୍ର ସେ ଗୁଡିକୁ କଟକସ୍ଥିତ କେନ୍ଦ୍ରୀୟ ଅସ୍ତ୍ରାଗାରରେ ରଖାଯାଇଛି । ପ୍ରାନ୍ତୀୟ ଶାଖା ଗୁଡିକୁ ହସ୍ତାନ୍ତର କରାଯାଇନାହିଁ । ସେହିପରି କମ୍ପ୍ୟୁଟରୀକରଣ ଓ ଯୋଗାଯୋଗ ପାଇଁ ୭ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ମାତ୍ର ତାହା ଫଳପ୍ରଦ ହୋଇନାହିଁ ।

କାରଣ ପୋଲିସ ନେଟୱର୍କିଂ, ଅପରାଧ ତଥ୍ୟବଳୀ ଆଦାନ ପ୍ରଦାନ ଓ ପ୍ରେରଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ।

ରାଜ୍ୟ ପୋଲିସ ପାଇଁ ୪୨୩ଟି ଭାରୀଯାନ ସମେତ ୧୨୮୮ ମଟର ଗାଡିର ଆବଶ୍ୟକତା ରହିଥିବା ବେଳେ ପ୍ରଚଳିତ ନିୟମକୁ ଉଲ୍ଲଂଘନ କରାଯାଇ ୧୦ଟି ହାଲୁକା ଯାନ କିଣାଯାଇଛି ।

ସେହିପରି କିଣା ଯାଇଥିବା ୬୨୬ଟି ଗାଡିକୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାନଯାଇ କେବଳ ତାଲିମ ଏବଂ ପ୍ରଶିକ୍ଷଣ ନିମନ୍ତେ ବ୍ୟବହାର କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

୨୦୦୪ ରୁ ୨୦୧୧ ମଧ୍ୟରେ ମୋଟ ଉପରେ ୬୨୦ଟି କାର୍ଯ୍ୟାଳୟ ଓ ବାସଗୃହ ନିର୍ମାଣ ପାଇଁ ୨୧୧ କୋଟି ୬୯ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି ।

ଏହାମଧ୍ୟରୁ ୭୬ଟି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ୧ କୋଟି ୧୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩ଟି କୋଠା ନିର୍ମାଣର ୧୪ ମାସ ପରେ ମଧ୍ୟ ବ୍ୟବହାର ହୋଇପାରୁ ନାହିଁ ।

ମୋଟ୍ ଗୃହରକ୍ଷୀ ପଦର ୭୩ ପ୍ରତିଶତ ପଦବୀ ଖାଲି ପଡିଛି ଏବଂ ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନଗାରରେ ଆବଶ୍ୟକ ପଦବୀ ପୂରଣ ହୋଇନାହିଁ । ଫଳରେ ରିପୋର୍ଟ ଗୁଡ଼ିକ ୨୫ ମାସ ପର୍ଯ୍ୟନ୍ତ ପଡ଼ି ରହୁଛି ବୋଲି ଏଥିରେ ଦର୍ଶାଯାଇଛି ।

୨୦୦୮ରୁ ବାମପନ୍ଥୀ ଉଗ୍ରବାଦୀ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ମୁକାଲିବା କରିବାକୁ ପୋଲିସର ଦକ୍ଷତା ବୃଦ୍ଧି ପାଇନାହିଁ ।

ଏହି ବିଷୟ ଗୁଡ଼ିକ ସଂପର୍କରେ ଗତ ବର୍ଷ ସିଏଜି ରିପୋର୍ଟରେ ଦର୍ଶାଯାଇଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ ବୋଲି ଏଥିରେ ଦର୍ଶାଯାଇଛି ।

ସେହିପରି ଶିଳ୍ପନୀତି ଆଧାରରେ ଉଦ୍ୟୋଗପତିଙ୍କୁ ଜମି ଆବଣ୍ଟନ କରିବା ସଂକ୍ରାନ୍ତରେ ନିର୍ଦ୍ଧିଷ୍ଟ ଜମି ନୀତି ନାହିଁ ଏବଂ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଆବଣ୍ଟନର ଯଥାର୍ଥତା ସରକାର ପ୍ରତିପାଦନ କରିନାହନ୍ତି, ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version