Site icon Odisha.com

କଟକଣା ସତ୍ୱେ ଗାଡ଼ିରେ ନାଲିବତୀ ଲଗାଉଛନ୍ତି ଅଧିକାରୀ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଗାଡ଼ିରେ ନାଲିବତୀ ଲଗାଇବା ନେଇ ହାଇକୋର୍ଟ ତଥା ରାଜ୍ୟ ସରକାରଙ୍କ କଟକଣା ସତ୍ୱେ ଆଇନ ଉଲଂଘନ କରି ଜଗତସିଂହପୁର ଜିଲ୍ଲାରେ କେତେକ ଅଧିକାରୀ ନିଜ ଗାଡ଼ିରେ ନାଲିବତୀ ଲଗାଉଥିବା ଅଭିଯୋଗ ହୋଇଛି ।

ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓଙ୍କ ସମେତ ତିର୍ତୋଲ, କୁଜଙ୍ଗ, ବାଲିକୁ ଆଦିର ତହସିଲଦାର ମଧ୍ୟ ଏହାର ଉଲଂଘନ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଅଧିକାରୀମାନେ କେବଳ ପେଟ୍ରୋଲିଂ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ଏହା ଲଗାଇବା ପାଇଁ ନିୟମ ଥିବା ବେଳେ ସେମାନେ ବିଭିନ୍ନ ସଭା ସମିତି ତଥା ଅନ୍ୟ ଅଫିସକୁ ଯିବା ସମୟରେ ଗାଡ଼ିରେ ନାଲି ବତୀ ବ୍ୟବହାର କରୁଛନ୍ତି ।

ପୂର୍ବରୁ ବନ୍ଦର ଅଧ୍ୟକ୍ଷମାନେ ନାଲିବତୀ ଲଗାଉନଥିବା ବେଳେ ରାଓ ଆଇନ ଉଲଂଘନ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଉଥିବା ଜଣେ ଶ୍ରମିକ ସଂଗଠନର ନେତା ଅଭିଯୋଗ କରିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନର ଜାଣତରେ ଅନ୍ୟମାନେ ମଧ୍ୟ ଗାଡ଼ିରେ ନାଲିବତୀ ବ୍ୟବହାର କରୁଥିବା ସେ କହିଛନ୍ତି ।

କେତେକ ସମୟରେ ସଂପୃକ୍ତ ଅଧିକାରୀଙ୍କ ପତ୍ନୀ, ସହ ଅଧିକାରୀ ତଥା କାର୍ଯ୍ୟାଳୟର ଅନ୍ୟମାନେ ଉକ୍ତ ଗାଡ଼ିରେ ଯିବା ଆସିବା କରୁଛନ୍ତି ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ଦ୍ଵନ୍ଦରେ ରହୁଛନ୍ତି । ତେଣୁ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ୍ ବୋଲି ଲୋକମାନେ କହିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ବିଚାରପତି, ଅଡ଼ିଟର ଜେନେରାଲ, ଆଡ଼ଭୋକେଟ ଜେନେରାଲ, ବିରୋଧୀ ଦଳ ନେତା, ସରକାରୀ ମୁଖ୍ୟ ସଚେତକ, ନିର୍ବାଚନ କମିଶନର, ମାନବାଧିକାର କମିଶନ, ମୁଖ୍ୟ ଶାସନ ସଚିବ ଏବଂ ଆର୍ଡ଼ିସିମାନ ନିଜ ଗାଡ଼ିରେ ନାଲିବତୀ ବ୍ୟବହାର କରିପାରିବେ ।

ଏହାବ୍ୟତୀତ ଜିଲ୍ଲା ମାଜିଷ୍ଟ୍ରେଟ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମସ୍ତ ଜିଲ୍ଲା ଜଜ୍, ପୋଲିସ ପେଟ୍ରୋଲିଂ ଭ୍ୟାନ, ଅଗ୍ନିଶମ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ରାଜ୍ୟ ପ୍ରଶାସନିକ ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଏଥିପାଇଁ ଅନୁମତି ିଆଯାଇ ନାହିଁ ।

କେବଳ ଅନୁମତି ପାଇଥିବା ବ୍ୟକ୍ତି ନାଲିବତୀ ଲଗାଇବା ଉପରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସ୍ପି ସ୍ପଷ୍ଟ କରିବାକୁ ଗତ ଦୁଇ ବର୍ଷ ତଳେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଆଇଏମ୍ କୁଦ୍ଧୁସି ଏବଂ ବିଚାରପତି ସଞ୍ଜୁ ପଣ୍ଡା ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

ତେବେ ବନ୍ଦର ଅଧ୍ୟକ୍ଷ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ପାଇନାହାନ୍ତି, ସେ ସରକାରଙ୍କ ନିଦେ୍ର୍ଧଶକୁ ବେଖାତିର କରି ଏହା ବ୍ୟବହାର କରୁଛନ୍ତି ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version