Site icon Odisha.com

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ୩ଦାବି ପୂରଣ କର: ମଧ୍ୟସ୍ଥି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ତିନୋଟି ଦାବି ପୂରଣ ହେଲେ ସେମାନେ ଅପହୃତ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରିବେ ବୋଲି ଗୁରୁବାର ଦୁଇ ମାଓ ମଧ୍ୟସ୍ଥି ଗଣମାଧ୍ୟମକୁ କହିଛନ୍ତି ।

ଉପସ୍ଥାପିତ ୧୩ଟି ଦାବି ମଧ୍ୟରୁ ତିନୋଟି ପୂରଣ କରାଗଲେ ମାଓବାଦୀମାନେ ପର୍ଯ୍ୟଟକ ପାଓଲୋଙ୍କକୁ ଛାଡ଼ିଦେବେ ବୋଲି ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବି.ଡ଼ି.ଶର୍ମା କହିଛନ୍ତି ।

ମିଥ୍ୟା ଏନ୍କାଉନ୍ଟର ଏବଂ ହାଜତ ନିର୍ଯାତନା ଜନିତ ହତ୍ୟାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ବିଭିନ୍ନ ମାମଲାରେ ଗିରଫ ହୋଇ କୋର୍ଟ ଦ୍ୱାରା ଜାମିନ ପାଇବା ପରେ ପୁଣି ଗିରଫ କରାଯାଇଥିବା ଲୋକଙ୍କୁ ମୁକ୍ତ କରାଯିବା ।

ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୋଗରେ ଗିରଫ ନିରୀହ ଲୋକଙ୍କୁ ମୁକ୍ତ କରିବା, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ନୟାଗଡ଼, ସମ୍ବଲପୁର, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାରେ ବନ୍ଦୀ ନିରିହ ଲୋକଙ୍କୁ ଖଲାସ କରିବା ଆଦି ତିନୋଟି ଦାବି ସେମାନେ ରଖିଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଏହି ତିନୋଟି ଦାବି ସଂପର୍କରେ ଗୃହ ସଚିବ ଉପେନ୍ଦ୍ରନାଥ ବେହେରାଙ୍କୁ ଅବଗତ କରାଯାଇଛି ବୋଲି ମହାନ୍ତି କହିଛନ୍ତି । ସରକାର ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହି ଦାବି ସଂପର୍କରେ ବିଚାର ନକଲେ ଆମେ ଆଲୋଚନାରୁ ଓହରିବୁ, ସେ କହିଛନ୍ତି ।

ଅପହୃତ ପର୍ଯ୍ୟଟକ ପାଓଲୋ ବାସୁସ୍କୋଙ୍କ ମୁକ୍ତି ସଂପର୍କରେ ମଧ୍ୟସ୍ଥିମାନେ କିଛି ନୂଆ ଦାବି ଦେଇଛନ୍ତି ଏବଂ ଏହା ଉପରେ ଅନୁସଂଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ବିଧାନସଭାରେ କହିବା ପରେ ଦୁଇ ମଧ୍ୟସ୍ଥି ଆଲୋଚନା ସ୍ଥଗିତ ରଖିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଦୀର୍ଘ ୧୧ଦିନ ପରେ ଗତ ରବିବାର କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version