ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କୁ ଛାଡ଼ି ଦେବାକୁ ଦୁଇ ମଧ୍ୟସ୍ଥି ଶନିବାର ମାଓବାଦୀଙ୍କୁ ନିବେଦନ କରିଛନ୍ତି ।
ମାଓବାଦୀମାନେ ଉପସ୍ଥାପନ କରିଥିବା ଦାବି ଗୁଡ଼ିକ ମଧ୍ୟରୁ ସରକାର ଅଧିକାଂଶ ପୂରଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେମାନେ ମଧ୍ୟ ପର୍ଯ୍ୟଟକଙ୍କୁ ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ବି.ଡ଼ି.ଶର୍ମା ଗଣମାଧ୍ୟମକୁ କହିଛନ୍ତି ।
ସରକାର ଚାହିଁଲେ ଯେକୌଣସି ସମୟରେ ପୁଣି ଆଲୋଚନା କରାଯିବ ବୋଲି ସେମାନେ କହିଛନ୍ତି ।
ବାରମ୍ବାର ନିବେଦନ ସତ୍ୱେ ମାଓବାଦୀଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ମୁକ୍ତି ନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ତାଙ୍କର ମୁକ୍ତି ନେଇ ଆଶା କରାଯାଉଛି ।
ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।
ତେବେ ଦୀର୍ଘ ୧୧ଦିନ ପରେ ଗତ ରବିବାର କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍