Site icon Odisha.com

ବ୍ରହ୍ମପୁର: ପୋଲିସ-ଗ୍ରାମବାସୀ ସଂଘର୍ଷ, ଦୁଇ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାସିପଡ଼ାରେ ଶନିବାର ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଛନ୍ତି ।

ଗୁଣିଗାରେଡ଼ି ସନ୍ଦେହରେ ଅନ୍ଧବିଶ୍ୱାସ ଯୋଗୁଁ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଲଣ୍ଡା କରି ଗାଁରେ ବୁଲାଇଥିବା ଅଭିଯୋଗ ହୋଇଥିଲା ।

ଖବର ପାଇ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଆଜି ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ
ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼
କରିଥିଲା ।

ପୋଲିସ ଗୁଳି ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣରେ କେତେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆହତ ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଏଭଳି ଘଟଣା ଦୁଃଖଦାୟକ ଏବଂ ବର୍ବରୋଚିତ । ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version