Site icon Odisha.com

ବ୍ରହ୍ମପୁର: ଗୁଳିକାଣ୍ଡ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଦଳା ଅନ୍ତର୍ଗତ ଫାସିପଡ଼ାରେ ହୋଇଥିବା ପୋଲିସ ଗୁଳିକାଣ୍ଡ ଘଟଣାରେ କୋଦଳା ଥାନା ଅଧିକାରୀଙ୍କୁ ରବିବାର ନିଲମ୍ବିତ କରାଯାଇଛି ।

ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ଆଇଆଇସି ସୌଭାଗ୍ୟ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତମାନ ପରିସ୍ଥିତି ଶାନ୍ତ ରହିଛି ଏବଂ ସଂପୃକ୍ତ ଗ୍ରାମରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି, ସେ କହିଛନ୍ତି ।

ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଅଟକ ରଖିଥିଲେ ଏବଂ ଖବର ପାଇ ଘଟଣାର ତଦନ୍ତ ପାଇଁ ପୋଲିସ ଶନିବାର ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ
ଉପରକୁ ଆକ୍ରମଣ କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼ କରିଥିଲା । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ସଂଘର୍ଷରେ କେତେକ ପୋଲିସ କର୍ମଚାରୀଙ୍କ ସମେତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version