Site icon Odisha.com

ବରଗଡ଼ରେ ରନ୍ଧନ ଗ୍ୟାସର ଅଭାବୀ ବିକ୍ରୀ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ସହରରେ ଗୋଟିଏ ପଟେ ଜାଳେଣୀ କାଠର ଅଭାବ ସାଙ୍ଗକୁ ରନ୍ଧନ ଗ୍ୟାସର ଅଭାବ ଦାବୀବିକ୍ରି ଅଭିଯୋଗ ହୋଇଛି ।

ସହରରେ ଏବେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି ଏବଂ ଏହି ସମସ୍ୟା ସିଧାସଳଖ ପ୍ରଭାବିତ କରିଛି ସାଧାରଣ ଲୋକଙ୍କୁ ।

ରନ୍ଧନ ଗ୍ୟାସର କଳାବଜାରୀ ସାଙ୍ଗକୁ ଅଭାବ ଦାବୀବିକ୍ରି ଗୃହିଣୀ ଓ ଗୃହକର୍ତାଙ୍କୁ ନାକେଦମ କରିସାରିଲାଣି । ପ୍ରତିଦିନ ସହରରେ ପ୍ରାୟ ୫୦ ପ୍ରତିଶତ ରନ୍ଧନ ଗ୍ୟାସ ଉପଭୋକ୍ତା ଏହି ଗ୍ୟାସ କଳାବଜାର ବା ଅଭାବ ଦାବୀ ବିକ୍ରୀର ଶିକାର ହେଉଛନ୍ତି ।

ସହରର ଜନସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ସେହି ତୁଳନାରେ ଗ୍ୟାସ ଯୋଗାଣ ହେଉନାହିଁ । ଏହାସହିତ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ଠେଲାବାଲା ମଧ୍ୟ ଏହି ଘରୋଇ ରନ୍ଧନଗ୍ୟାସ ବ୍ୟବହାର କରି ନିଜର ବ୍ୟବସାୟ ଚଳାଉଛନ୍ତି ।

ବର୍ତମାନ ଗ୍ୟାସ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଗ୍ୟାସ ବିକ୍ରୀ ସିଧାସଳଖ ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରାନିୟନ୍ତ୍ରିତ ହୋଇଥାଏ । ମାତ୍ର ବରଗଡ଼ରେ ଗ୍ୟାସ ବିକ୍ରୟ ଯୋଗାଣ ବିଭାଗ ନିୟନ୍ତ୍ରଣରେ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଆଶ୍ଚର୍ଯ୍ୟର ବିଷୟ ଯେ ଖୋଦ ଗ୍ୟାସ ବିତରକ ହିଁ ଏହି କଳାବଜାରୀରେ ସକ୍ରୀୟ ଅଂଶୀଦାର ରହିଛନ୍ତି । ସୁଚନାଯୋଗ୍ୟ, ଏଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ବା ଏଚ୍.ପି., ଇଣ୍ଡେନ୍ ଓ ଭାରତ ଗ୍ୟାସ ଭଳି ତିନୋଟି କମ୍ପାନୀ ଦ୍ୱାରାସହରବାସୀଙ୍କୁ ଗ୍ୟାସ ଯୋଗାଣ ହୋଇଥାଏ ।

ଏମାନଙ୍କ ଠାରୁ ଭାରତ ଓ ଇଣ୍ଡେନ ଗ୍ୟାସ ଉପଭୋକ୍ତା ପ୍ରାୟ ଠିକ୍ ସମୟରେ ଗ୍ୟାସ୍ ପାଉଥିବା ବେଳେ ଏଚ୍.ପି. ଗ୍ୟାସ ଉପଭୋକ୍ତା କିନ୍ତୁ ଠିକ୍ ସମୟରେ ଗ୍ୟାସ୍ ପାଇ ପାରୁନାହାନ୍ତି ।

ଏଥିପାଇଁ ତାଙ୍କୁ ଅନେକ ଥର ଗ୍ୟାସ ଡିଲରଙ୍କ ପାଖକୁ ଦୌଡ଼ିବାକୁ ପଡ଼ିଥାଏ ଏବଂ ବହୁ ହଇରାଣ ହେବାପରେ ତାଙ୍କୁ ଗ୍ୟାସପୂର୍ଣ୍ଣ ସିଲିଣ୍ଡରଟିଏ ମିଳିଥାଏ । ମାତ୍ର ଏଥିରେ ବ୍ୟତିକ୍ରମ ହେଉଥିବା ତଥା ଉପଭୋକ୍ତା ସେମାନଙ୍କ ସର୍ବନିମ୍ନ ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଗ୍ୟାସ ନେବାର ୨୧ ଦିନ ପରେ ଜଣେ ଉପଭୋକ୍ତା ଆଉଥରେ ଗ୍ୟାସ ପାଇବା ପାଇଁ ବୁକିଂ କରି ପାରିବ ଏବଂ ତାକୁ ୪୮ଘଣ୍ଟା ବା ୨ ଦିନ ମଧ୍ୟରେ ଗ୍ୟାସ ମିଳିବାର ନିୟମ ରହିଛି ।

ମାତ୍ର ଉପଭୋକ୍ତାମାନେ ବୁକିଂ କରି ମାସ ମାସ ଧରି ଗ୍ୟାସ ସେଣ୍ଟରକୁ ଦୌଡ଼ିବା ପରେ ମଧ୍ୟ ତାହା ପାଉନଥିବା କେତେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ।

ଉପଭୋକ୍ତାଙ୍କୁ ଗ୍ୟାସ ଦେୟ ପ୍ରତିବଦଳରେ ବିଲ ଦିଆନଯିବା, କେବଳ ସହର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଛାଡ଼ିେଲେ ହୋମ୍ ଡେଲିଭରୀ ଦିଆନଯିବା ଭଳି ଗୁରୁତର ଅଭିଯୋଗ ହୋଇଛି ।

ଗ୍ୟାସର ଏତେ ଅଭାବ ଥିବା ବେଳେ ସହରରେ ବହୁ ଚାରିଚକିଆ ଗାଡ଼ି ଗ୍ୟାସରେ ଚାଲୁଥିବା, ବଡ଼ ବଡ଼ ହୋଟେଲରେ ବ୍ୟବହାର ପାଇଁ ଘରୋଇ ରନ୍ଧନ ଗ୍ୟାସ କେଉଁଠୁ ଆସୁଛି ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି ।

ତେବେ ଗ୍ୟାସ ଯୋଗାଣରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ବିତରକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହ ଭିଜିଲାନ୍ସ ଓ ବାଣିଜ୍ୟକର ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି ।

ତେବେ ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଆମେ ସହରର ସମସ୍ତ ୱାର୍ଡ଼ ତଥା ପଡ଼ାକୁ ଆମ ନିଜ ସାଧନରେ ନିୟମିତ ବ୍ୟବଧାନରେ ଗ୍ୟାସ ଯୋଗାଉଛୁ ବୋଲି ସ୍ଥାନୀୟ ଗ୍ୟାସ ବିତରକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version