Site icon Odisha.com

ବିଧାୟକ ଅପହରଣ: ଆଲୋଚନା ପାଇଁ ନାଚିକାଙ୍କୁ ନିମନ୍ତ୍ରଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ଝିନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଗିରଫ ଚାଷୀ ମୂଲିଆ ଆଦିବାସୀ ସଂଘର କିଛି ସଭ୍ୟଙ୍କ ଖଲାସ ଦାବି କରିଥିବା ବେଳେ ଏନେଇ ଆଲୋଚନା ପାଇଁ ସରକାର ସଂଘର ନେତା ନାଚିକା ଲିଙ୍ଗାଙ୍କୁ ଆମନ୍ତ୍ରଣ କରିଛନ୍ତି ।

ମାଓବାଦୀଙ୍କ ଦାବି ସଂପର୍କରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ମାଓବାଦୀମାନେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ପାଇଁ ରାଜି ନାହାଁନ୍ତି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କହିଛନ୍ତି ।

ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କୁ ଏ ସଂପର୍କରେ ଆଲୋଚନା ପାଇଁ ସରକାର ନିମନ୍ତ୍ରଣ କରିଛନ୍ତି, ସେ କହିଛନ୍ତି ।

ହିକକା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ସେ କେବଳ ଜଣେ ଯୁବ ବିଧାୟକ ନୁହଁନ୍ତି, ଆଦିବାସୀଙ୍କ ଉନ୍ନତି ପାଇଁ ବହୁଦିନ ଧରି କାମ କରି ଆସୁଛନ୍ତି ତେଣୁ ମାନବିକତା ଦୃଷ୍ଟିକୋଣରୁ ତାଙ୍କୁ ଛାଡି ଦେବାକୁ ମୁଁ ନିବେଦନ କରି ଆସୁଛି ବୋଲି ନବୀନ କହିଛନ୍ତି ।

ନାଚିକା ଆଲୋଚନା ପାଇଁ ଆଗେଇ ଆସିଲେ ତୁରନ୍ତ କଥାବାର୍ତା ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ଗୃହ ସଚିବ,ପଞ୍ଚାୟତିରାଜ ସଚିବ ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ସଚିବ ଆଲୋଚନାରେ ଭାଗ ନେବେ ବୋଲି ସେ କହିଛନ୍ତି ।

୫ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ସମୟସୀମା ଦେଇଥିବାରୁ ଏହି ତାରିଖ ଘୁଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଅନୁରୋଧ କରାଯାଇଛି ।

ଇଟାଲୀୟ ନାଗରିକ ପାଓଲୋ ବସୁସ୍କୋଙ୍କୁ ଛାଡି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ।

ପାଓଲୋଙ୍କ ମୁକ୍ତି ପାଇଁ ଇତିମଧ୍ୟରେ ମାଓ ମଧ୍ୟସ୍ଥି ବି.ଡି. ଶର୍ମା ଓ ଦଣ୍ଡପାଣି ମହାନ୍ତିଙ୍କ ସହିତ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version