Site icon Odisha.com

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣ ବନ୍ଦୀଙ୍କୁ ଜେଲ୍ ରୁ ଖଲାସ କରିବାକୁ ସରକାର ବୁଧବାର ନିଷ୍ପତି ଗ୍ରହଣ କରିଛନ୍ତି ।

ସଂଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏସଂପର୍କରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଥିବା ଚାଷି ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ଏବଂ ୮ ଜଣ ମାଓବାଦୀଙ୍କୁ ଜେଲରୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା କମିଟି ଦ୍ୱାରା ଅପହୃତ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ମଧ୍ୟସ୍ଥିଙ୍କ ଦ୍ୱାରା ଦିଆଯାଇଥିବା ତାଲିକା ମଧ୍ୟରୁ ଚାରି ଜଣଙ୍କୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ, ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version