Site icon Odisha.com

ବିଧାୟକ ଅପହରଣ: ଆଉ ପାଞ୍ଚ ଜଣଙ୍କୁ ଛାଡ଼ିବାକୁ ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ମଙ୍ଗଳବାର ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରିଥିବା ବେଳେ ଆଉ ପାଞ୍ଚ ଜଣଙ୍କୁ ନିଃସର୍ତ ଖଲାସ କରିବାକୁ ଶନିବାର ଦାବି କରିଛନ୍ତି ।

ବିଧାୟକ ଓ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଆଠ ଜଣ ମାଓବାଦୀଙ୍କ ସମେତ ୨୭ ଜଣଙ୍କୁ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ଦୁଇଦିନ ପରେ ମାଓବାଦୀମାନେ ପୁଣି ଏଭଳି ଦାବି ଉପସ୍ଥାପନ କରିଛନ୍ତି ।

ସରକାର ୨୭ ଜଣଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରନ୍ତୁ ବୋଲି ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଜଗବନ୍ଧୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇଥିବା ଅଡ଼ିଓ ଟେପ୍ ରେ କହିଛନ୍ତି ।

ସଂପୃକ୍ତ ମାଓନେତା ଖଲାସ ହେବାକୁ ଥିବା ଲୋକଙ୍କ ନାମ ମଧ୍ୟ ଉକ୍ତ ଟେପ୍ ରେ ଉଲ୍ଲେଖ କରିଛନ୍ତି । “ଆମେ ସମୟସୀମାକୁ ଦଶ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଯଦି ସେମାନଙ୍କୁ ମୁକ୍ତ କରାନଯାଏ ତେବେ ସରକାର ପରବର୍ତୀ ପଦକ୍ଷେପ ଦେଖିବେ” ସେ କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟରୁ ବିଧାୟକଙ୍କୁ ଅପହରଣ କରିନେଇଥିବା ମାଓବାଦୀମାନେ ପୂର୍ବରୁ ଶନିବାର ପର୍ଯ୍ୟନ୍ତ ସେମାନଙ୍କର ଦାବି ସଂପର୍କରେ ନିଷ୍ପତି ନେବାକୁ ସରକାରଙ୍କୁ ସମୟ ଦେଇଥିଲେ । ହିକକାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଉକ୍ତ ମାଓନେତା ଟେପ୍ ରେ କହିଛନ୍ତି ।

ସେହିପରି ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା ଶାଖା ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋଙ୍କୁ ଅପହରଣ କରିନେଇଥିଲା । ତେବେ ତାଙ୍କର ମୁକ୍ତି ପାଇଁ ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version