Site icon Odisha.com

କାଜୁ ବଗିଚାକୁ ନେଇ ସଂଘର୍ଷ, ଦୁଇ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଅପ୍ରେଲ ୮(ଓଡ଼ିଶା ଡ଼ଟ୍ କମ୍) କାଜୁ ବଗିଚା ମାଲିକାନାକୁ ନେଇ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଚନୁଟମାଲ ଗାଁରେ ସଂଘର୍ଷ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହେବାସହ ତିନି ଜଣ ଗୁରୁତର ଆହତ ହୋଇଥିବା ପୋଲିସ ରବିବାର କହିଛି ।

ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ କଳାକାନ୍ତ କୁମ୍ଭାର ଓ ଶରଥ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଗୁରୁତର ଆହତଙ୍କୁ ବଲାଙ୍ଗୀର ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତ ଚନୁଟମାଲ ଗାଁରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଚାରି ଏକର ଜମିରେ କାଜୁ ବୃକ୍ଷରୋପଣ କରାଯାଇଥିଲା । ପରେ ସେହି ବଗିଚାକୁ ଚନୁଟମାଲର ଗୋଟିଏ ପରିବାର ଦେଖାରେଖା କରୁଥିଲେ ।

ତେବେ ଉକ୍ତ ପରିବାର ଏହାର ଦେଖାରେଖା କରୁଥିବାରୁ ଗାଁ ଲୋକେ ଅସନ୍ତୁଷ୍ଟ ଥିଲେ । ଉକ୍ତ ପ୍ଲଟ୍ ଗୋଚର ଜମି ଅନ୍ତର୍ଗତ ଓ ତା’ ଉପରେ ଗାଁ ଲୋକଙ୍କ ଅଧିକାର ରହିଛି ବୋଲି ଗ୍ରାମବାସୀ ଅଡି ବସିଥିଲେ ।

ଏନେଇ ଉଭୟ ପକ୍ଷ ସ୍ଥାନୀୟ ଫାଣ୍ଡିକୁ ଆସିଥିଲେ ଓ ସନ୍ଧ୍ୟାରେ ନିଜ ଗାଁକୁ ଫେରିଥିଲେ । ସଂପୃକ୍ତ ପରିବାରର ଲୋକମାନେ ଗାଁରେ ପହଂଚିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରୁ ୨ଜଣ ବଲାଙ୍ଗୀର ଜିଲ୍ଲା ସର ଡାକ୍ତରଖାନା ସ୍ଥାନାନ୍ତର ସମୟରେ ବାଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version