ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାୟଗଡ଼ା,ଅପ୍ରେଲ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୩ରେ ହୋଇଥିବା ଏକ ଗୁଳିକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ସ୍ଥାନୀୟ ଏକ ଅଦାଲତ ମଙ୍ଗଳବାର ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ରାୟଗଡ଼ା ଜିଲ୍ଳା ଗୁଣୁପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଶ୍ରୀଙ୍କୁ ଖଲାସ କରିଥିବା ବେଳେ ୨୦୦୩ରେ କୁଟିଙ୍ଗକୁଡ଼ା ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ସେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।
ତେବେ ତାଙ୍କର ମୁକ୍ତି ପଛରେ ସରକାରଙ୍କ କୌଣସି ଭୂମିକା ନଥିବା ସେ ଜେଲରୁ ବାହାରିବା ପରେ କହିଛନ୍ତି । “”ଆରମ୍ଭରୁ ମୁଁ ନିର୍ଦ୍ଦୋଷ ବୋଲି କହିଆସୁଥିଲି ଏବଂ ଏହା ପ୍ରମାଣିତ ହୋଇଛି” ସେ ଗୁଣୁପୁର ଠାରେ ଗଣମାଧ୍ୟମକୁ କହିଛନ୍ତି ।
ତାଙ୍କ ସ୍ୱାମୀ ଗରିବ ଲୋକ ଏବଂ ଚାଷୀଙ୍କ ପାଇଁ ଲଢେଇ କରୁଛନ୍ତି ବୋଲି ସେ କହିଛନ୍ତି ।
ଗତ ମାର୍ଚ୍ଚ ୧୪ରେ କନ୍ଧମାଳ ଜିଲ୍ଲାରୁ ଅପହୃତ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା ଶାଖା ସଂପାଦକ ସବ୍ୟସାଚୀ ତାଙ୍କର ଖଲାସ ପାଇଁ ଦାବି କରିଥିଲେ ।
ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୋଗରେ ଶୁଭଶ୍ରୀଙ୍କୁ ପୋଲିସ ପ୍ରଥମେ ୨୦୧୦ ଜାନୁୟାରୀରେ ଭୁବନେଶ୍ୱରରୁ ଗିରଫ କରିଥିଲା ଏବଂ ଗତ ୨୦୧୧ ଅକ୍ଟୋବରରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।
କିନ୍ତୁ ମାଓବାଦୀ ପୋଲିସ ଗୁଳିବିନିମୟରେ ସଂପୃକ୍ତ ଅଭିଯୋଗରେ ପୋଲିସ ପୁଣି ତାଙ୍କୁ ଗିରଫ କରି ଭୁବନେଶ୍ୱର ଜେଲରୁ ରାୟଗଡ଼ା ଜେଲକୁ ସ୍ଥାନାନ୍ତର କରିଥିଲ।।
ଓଡ଼ିଶା ଡ଼ଟ୍ କମ୍