Site icon Odisha.com

ଓଡ଼ିଆଙ୍କ ପାଇଁ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି: ପାଓଲୋ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) “”ଓଡ଼ିଆଙ୍କ ପାଇଁ ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି” ଦୀର୍ଘ ୨୮ଦିନ ପରେ ଗୁରୁବାର ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଇଟାଲୀୟ ନାଗରିକ ବାସୁସ୍କୋ ପାଓଲୋ କହିଛନ୍ତି ।

ଓଡ଼ିଶାକୁ ବହୁତ ଭଲ ପାଏଁ । ଓଡ଼ିଶା ଏବଂ ଓଡ଼ିଆଙ୍କୁ ଭୂଲି ହେବ ନାହିଁ, ମୁକ୍ତ ହୋଇ ଭୁବନେଶ୍ୱର ଆସିବା ପରେ ରାଜ୍ୟ ଅତିଥି ଭବନ ଠାରେ ସେ ସାମ୍ବାଦିକଙ୍କୁ କହିଛନ୍ତି ।

ବର୍ତମାନ ମୁଁ ଇଟାଲୀ ଫେରିଯିବି ଓ ପୁଣି ଆସିବି କି ନାହିଁ ଜାଣି ନାହିଁ, ସେ କହିଛନ୍ତି । ପାଓଲୋଙ୍କ ମୁକ୍ତି ପାଇଁ ଇଟାଲୀୟ ରାଷ୍ଟ୍ରଦୂତ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟାଲୀୟ ନାଗରିକଙ୍କ ମୁକ୍ତି ପରେ ସରକାର ଆଶ୍ୱସ୍ତି ଲାଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ଅପହୃତ ବିଧାୟକଙ୍କୁ ଶୀଘ୍ର ମୁକ୍ତ କରିବାକୁ ମାଓବାଦୀଙ୍କୁ ପୁଣି ନିବେଦନ କରିଛନ୍ତି ।

ଦୁଇ ଇଟାଲୀୟ ନାଗରିକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ଏକ ଝରଣା କୂଳରେ ବସିଥିବା ବେଳେ ମାଓବାଦୀମାନେ ସେଠାରେ ପହଂଚି ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିଦେଇଥିବା ବେଳେ ଇଟାଲୀୟ ନାଗରିକ ଦ୍ୱୟଙ୍କୁ ଅଟକ ରଖିଥିଲେ ।

ଅପହରଣର ୧୧ଦିନ ପରେ ଗତ ମାସ ୨୫ରେ ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଲାଞ୍ଜେଲୋଙ୍କୁ ହସ୍ତାନ୍ତର କରି ପାଓଲୋଙ୍କୁ ପଣବନ୍ଦୀ ରଖିଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବିସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଅପହୃତଙ୍କ ମୁକ୍ତି ନେଇ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ଦୁଇ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବି.ଡ଼ି.ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ଗୃହ ସଚିବ, ପଂଚାୟତିରାଜ ସଚିବ ଏବଂ ଅନୁସୂଚିତ ଜାତିଜନଜାତି କଲ୍ୟାଣ ବିଭାଗ ସଚିବ ବାରମ୍ବାର ଆଲୋଚନା କରିଥିଲେ ।

ଏହି ସମୟ ମଧ୍ୟରେ ମାର୍ଚ୍ଚ ୨୪ରେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ଜୋନାଲ କମିଟି କୋରାପୁଟ ଠାରୁ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିନେଇଥିଲା ।

ମାଓବାଦୀଙ୍କ ଦାବି ଅନୁଯାୟୀ ଅପହୃତ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ସରକାର ମାଓନେତା ସବ୍ୟସାଚୀଙ୍କ ପତ୍ନୀଙ୍କ ସମେତ ୨୭ ଜଣ ବନ୍ଦୀଙ୍କୁ ଜେଲରୁ ଖଲାସ କରିବାକୁ ଘୋଷଣା କରିଥିଲେ ।

ଆରତୀ ମାଝି, ଶୁକ ନାଚିକା, ଚକ୍ର ତାଡ଼ିଙ୍ଗି ଏବଂ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ସୁଭଶ୍ରୀ ଦାସ(ମିଲି ପଣ୍ଡା)ଙ୍କୁ ବାସୁସ୍କୋଙ୍କ ମୁକ୍ତି ପାଇଁ ଖଲାସ କରିବାକୁ ସରକାର ଘୋଷଣା କରିଥିଲେ ।

ଶେଷରେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ଆଜି ସକାଳେ ମାଓନେତା ସବ୍ୟସାଚୀ ପଣ୍ଡା
ପାଓଲୋଙ୍କୁ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version