Site icon Odisha.com

ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କଲେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୀର୍ଘ ୨୮ଦିନ ପରେ ଗୁରୁବାର ମାଓବାଦୀମାନେ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କୁ ମୁକ୍ତ କରିଛନ୍ତି ।

ମାଓବାଦୀମାନେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଓଲୋଙ୍କୁ ହସ୍ତାନ୍ତର କରିଛନ୍ତି । ମୁକ୍ତ ହେବା ପରେ ପାଓଲୋ ମାଓ ମଧ୍ୟସ୍ଥିଙ୍କ ସହ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ପହଞ୍ଚିଛନ୍ତି ।

ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷବୟସ୍କ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ମାର୍ଚ୍ଚ ୨୫ରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାେଞ୍ଜଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ମାଓବାଦୀଙ୍କ ଦାବି ଅନୁଯାୟୀ ଅପହୃତ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ସରକାର ମାଓନେତା ସବ୍ୟସାଚୀଙ୍କ ପତ୍ନୀଙ୍କ ସମେତ ୨୭ ଜଣ ବନ୍ଦୀଙ୍କୁ ଜେଲରୁ ଖଲାସ କରିବାକୁ ଘୋଷଣା କରିଥିଲେ ।

ସେହିପରି ଗତ ୨୪ ତାରିଖରେ କୋରାପୁଟ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଦ୍ୱାରାଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀମାନେ ବର୍ତମାନ ପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି ।

ତେବେ ସେମାନଙ୍କ ଦାବି ମୁତାବକ ୩୦ ଜଣ ବନ୍ଦୀଙ୍କୁ ସରକାର ମୁକ୍ତ ନକରିବା ପର୍ଯ୍ୟନ୍ତ ବିଧାୟକଙ୍କୁ ଛଡ଼ାଯିବ ନାହିଁ ବୋଲି ଉକ୍ତ ସଂଗଠନର ସଦସ୍ୟ ଜଗବନ୍ଧୁ ବୁଧବାର ଗଣମାଧ୍ୟମକୁ ଏକ ପତ୍ର ଦ୍ୱାରା ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version