Site icon Odisha.com

୬୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ଭୁବନେଶ୍ୱରରେ ୬୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ସ୍ଥାନୀୟ ପିଏମ୍ଜି ଛକଠାରେ ବେସାମରିକ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ପ୍ୟାରେଡ଼ରେ ବାଚସ୍ପତି ପ୍ରଦୀପ ଅମାତ ଅଭିବାଦନ ଗ୍ରହଣ କରିଛନ୍ତି ।

ଆୟୋଜିତ ପ୍ୟାରେଡ଼ରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ବିଧାୟକ ପ୍ରମୁଖ ଯୋଗ
ଦେଇଥିଲେ । ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଅପ୍ରେଲ ୧୩, ୧୯୪୮ରେ ଭୁବନେଶ୍ୱର ରାଜଧାନୀର ମାନ୍ୟତା ପାଇଥିଲା । । ଜର୍ମାନର ବିଶିଷ୍ଟ ସ୍ଥପତି ଓଏଚ୍ କିଙ୍ଗସ୍ବର୍ଗ ରାଜଧାନୀର ନକ୍ସା ପ୍ରସ୍ତୁତ କରିଥିଲେ । ତାଙ୍କ ଯୋଜନା ଅନୁଯାୟୀ ସହରରେ ମାତ୍ର ପଚାଶ ହଜାର ଲୋକଙ୍କ ବସବାସ ପାଇଁ ଉଦ୍ଦିଷ୍ଟ ଥିଲା ।

ଇତିମଧ୍ୟରେ ୬୩ ବର୍ଷ ବିତିଯାଇଥିବା ବେଳେ ଭୁବନେଶ୍ୱରର ବହୁ ପରିବର୍ତନ ହୋଇଛି । ବର୍ତମାନ
ଦଶ ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପର୍ଯଟନ
କ୍ଷେତ୍ରରେ ଅନେକ ପରିବର୍ତନ ହୋଇଛି ।

ଏଠାରେ ଅନେକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଡ଼ାକ୍ତରଖାନା ପ୍ରତିଷ୍ଠା ହୋଇଛି । ବିକାଶ ଧାରା ଜାରି ରହିଥିବା ବେଳେ ସମସ୍ୟା ବି ବୃଦ୍ଧି ପାଇଛି । ସହରର ଜନସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବେକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version