Site icon Odisha.com

୨୦୧୧ ଜନଗଣନା ତଥ୍ୟ ପ୍ରଚାର ପାଇଁ କର୍ମଶାଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ୨୦୧୧ ଜନଗଣନା ତଥ୍ୟ ପ୍ରଚାର ପାଇଁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ନବକୃଷ୍ଣ ଚୌଧୁରୀ ସେଂଟର ଫର୍ ଡ଼େଭଲପମେଂଟ ଷ୍ଟଡ଼ିଜ ଏବଂ ଅନୁସୂଚିତ ଜାତି ଜନଜାତି ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ସହାୟତାରେ ଗୁରୁବାର ଜନଗଣନା ନିର୍ଦ୍ଦେଶାଳୟ ଏହି କର୍ମଶାଳ ଆୟୋଜନ କରିଛି ।

ଜନଗଣନା ରିପୋର୍ଟରେ ଦର୍ଶାଯାଇଥିବା ବିଭିନ୍ନ ତଥ୍ୟ ଯଥା ଜନସଂଖ୍ୟା, ଗୃହ ତାଲିକା, ଗୃହ ବ୍ୟବହାର ସାମଗ୍ରୀ ଓ ଅନ୍ୟାନ୍ୟ ବିଷଞ ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

କର୍ମଶାଳାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ମଧୁସୁଦନ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.ଏନ୍.ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଉପ ରେଜିଷ୍ଟ୍ରାର ଜେନେରାଲ ଭାସ୍କର ମିଶ୍ର, ଗୋପବନ୍ଧୁ
ପ୍ରଶାସନିକ ଏକାଡ଼େମୀର ମହାନିର୍ଦ୍ଦେଶକ କେ.ଏସ୍.ଗଣେଶନ୍, ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଏମ୍.କେ.ନନ୍ଦ, ଏନ୍ସିଡ଼ିଏସ୍ ନିର୍ଦ୍ଦେଶକ ଆର୍.କେ.ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଜନଗଣନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଜନସଂଖ୍ୟା, ଗୃହ ତାଲିକା, ଗୃହ ବ୍ୟବହାର ସାମଗ୍ରୀ ଉପରେ ଅଧାରିତ ତିନି ଖଣ୍ଡ ପୁସ୍ତକ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ।

ଚାରୋଟି ପର୍ଯ୍ୟାୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ସମେତ ଶତାଧିକ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ଏଭଳି କର୍ମଶାଳା ଜିଲ୍ଲା ଗୁଡ଼ିକରେ ମଧ୍ୟ କରାଯିବ ବୋଲି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version