Site icon Odisha.com

ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ମଙ୍ଗଳବାର ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ବାର୍ଦ୍ଧକ୍ୟଜନିତ କାରଣରୁ ଗତ ଦୁଇଦିନ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା ଏବଂ ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଅଛନ୍ତି । ପାଂଚ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ହରପ୍ରିୟାଙ୍କ ପରଲୋକ ହୋଇଥିଲା ।

୧୯୧୨ ଜୁଲାଇ ୧୭ରେ ଜନ୍ମ ଗ୍ରହଣ କରିଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର
ନିତ୍ୟାନନ୍ଦ ୧୯୬୭-୭୧ ପର୍ଯ୍ୟନ୍ତ ରାଜେନ୍ଦ୍ର ନାରାୟଣ ସିଂହେଓଙ୍କ ମନ୍ତ୍ରୀମଣ୍ଡଳରେ ସଂସ୍କୃତି, ଖାଦ୍ୟ ଓ
ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସେ ଭଦ୍ରକରୁ ଦୁଇ ଥର ସ୍ୱାଧୀନ ଏବଂ ଥରେ ଜନ କଂଗ୍ରେସ ପାର୍ଟି ପ୍ରାର୍ଥୀ ଭାବେ ବିଧାନସଭାକୁ
ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଥିଲେ ।

ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ଶୁଭେଚ୍ଛୁ ଖାରବେଳନଗର ସ୍ଥିତ
ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ଦ୍ୱାରାଲିଖିତ ପୁସ୍ତକ ମଧ୍ୟରୁ ଭଙ୍ଗାହାଡ଼, ଘରଡ଼ିହ, ନହମ୍ ତିଷ୍ଠାମି ବୈକୁଣ୍ଠେ ଏବଂ ପ୍ରିୟା ଓ ପ୍ରିୟତମା ଅନ୍ୟତମ ।

ଓଡ଼ିଶା ଡ଼ଟ୍ କମ୍

Exit mobile version