Site icon Odisha.com

ମାଓବାଦୀଙ୍କୁ ଖଲାସ ନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକ୍କାଙ୍କ ମୁକ୍ତି ବଦଳରେ ସରକାର ମାଓବାଦୀଙ୍କୁ ଜେଲ୍ ରୁ ଖଲାସ କରିବା ଘଟଣାରେ ଜବାବ ଦାଖଲ ପାଇଁ ଗୁରୁବାର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅବସରପ୍ରାପ୍ତ ସେନାଧିକାରୀ ମେଜର ଜେନେରାଲ ଗଙ୍ଗୁରୀପ୍ ସିଂ ବକ୍ସିଙ୍କ ଦ୍ୱାରାଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ସରକାରଙ୍କ ଏଭଳି ପଦକ୍ଷେପକୁ ଦୃଢ଼ ବିରୋଧ କରି ବକ୍ସି ବୁଧବାର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାଓବାଦୀଙ୍କୁ ଖଲାସ ଦ୍ୱାରାସୁରକ୍ଷା ବାହୀନୀର ମନୋବଳ ଉପରେ ପ୍ରଭାବ ପଡ଼ିବ । ସେମାନେ ତାଙ୍କର ଜୀବନକୁ ବାଜି ଲଗାଇ ମାଓବାଦୀ ମାନଙ୍କୁ ଧରିଛନ୍ତି ବୋଲି ସେ ଏଥିରେ ଦର୍ଶାଇଥିଲେ ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ତେବେ ୨୭ ଜଣଙ୍କ ଖଲାସ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ବୁଧବାର ୧୩ ଜଣଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ତେବେ ବନ୍ଦୀଙ୍କ ଜାମିନ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିନାହାନ୍ତି । ବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟାରେ ସରକାର ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version