Site icon Odisha.com

ଔଷଧ ମଦ ମୃତ୍ୟୁ:ମୃତକଙ୍କ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ମଦ ମୃତ୍ୟୁ ଘଟଣାରେ ମୃତ ଓ ଆକ୍ରାନ୍ତଙ୍କ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଷ୍ଟିସ ନାଇଡ଼ୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

୨୯ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବଙ୍କୁ ରବିବାର ଜଷ୍ଟିସ ଏଏସ୍ ନାଇଡ଼ୁ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ କେଉଁ ଡ଼ାକ୍ତରଖାନାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ଏବଂ ଚିକିତ୍ସା ସଂପର୍କରେ ଏଥିରେ ଉଲ୍ଲେଖ କରିବାକୁ କୁହାଯାଇଛି ।

ସରକାର ଉକ୍ତ ମାମଲା ପରିଚାଳନା ପାଇଁ ଆଇନ ପରାମର୍ଶାତା ନିଯୁକ୍ତ କରିବା ଏବଂ ଏ ସମ୍ପର୍କରେ
ଅଧିକ ବିବରଣୀ ଦାଖଲ କରିବାକୁ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍ପିଙ୍କୁ କମିଶନ ଆଦେଶ ଦେଇଛନ୍ତି ।

ଏହାବ୍ୟତୀତ ଯେଉଁ ଔଷଧ ସେବନ କରି ୪୦ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଅସୁସ୍ଥହୋଇଥିଲେ ସେହି ଔଷଧ କେତେ ପରିମାଣର ପ୍ରସ୍ତୁତ ହୋଇଥିଲା ଏବଂ ତାହା କେଉଁ କେଉଁଅଂଚଳକୁଯାଇଥିଲା ସେ ସମ୍ପର୍କରେ ମଧ୍ୟ ସବିଶେଷ ବିବରଣୀ ଉପସ୍ଥାପନ କରିବାକୁ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ନୋଟିସ୍ ଜାରି କରାଯାଇଛି ।

ଏହି ଘଟଣାର ଶୁଣାଣି ବେଳେ କମିଶନଙ୍କ ସଚିବ ଘଟଣାରେ ଆଉ ୧୩ଟି ସତ୍ୟପାଠ ଦାଖଲ ହୋଇଥିବା ଦର୍ଶାଇ ଏଯାବତ୍ ସମୁଦାୟ ୩୬ଟି ସତ୍ୟପାଠ ଦାଖଲ ହୋଇଥିବା କମିଶନଙ୍କୁ ଅବଗତ କରିଥିଲେ ।

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଗତ ଫେବୃୟାରୀ ମାସରେ ବିଷାକ୍ତ ଔଷଧ ମଦ ସେବନ କରି ୪୦ ଜଣଙ୍କର
ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇଥିଲେ । ପରେ ସରକାର ଏହି ଘଟଣାର ତଦନ୍ତ ପାଇଁ
ଜଷ୍ଟିସ୍ ନାଇଡ଼ୁ କମିଶନଙ୍କୁ ନିଯୁକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version