Site icon Odisha.com

ଜିଲ୍ଲାପାଳ-ଓକିଲ ସଂଘ ବିବାଦ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବରେଜିଷ୍ଟ୍ରାର୍ ଅଫିସକୁ ଯାଇ ସେମାନେ ପୁରୁଣା ଜମି ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ଦେବାକୁ ସବ୍ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ ।

ତେବେ ସଂପୃକ୍ତ ଅଧିକାରୀ ବର୍ଦ୍ଧିତ ଦରର ଷ୍ଟାମ୍ପ ଡ୍ୟୁଟି ଦେବାକୁ କହିଥିଲେ । ଫଳରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର ପହଞ୍ଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କକ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ତେବେ ସବ୍ ରେଜିଷ୍ଟ୍ରାରଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରାଯିବା ଖବର ପାଇ ଓକିଲଙ୍କ ସହିତ ଆଲୋଚନା ପାଇଁ ସେ ଯାଇଥିଲେ ଏବଂ ସେଠାରେ ଓକିଲମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ ବୋଲି ଜିଲ୍ଲାପାଳ କହିଥିଲେ ।

ସମ୍ବଲପୁର ସହରରେ ଏହି ଘଟଣାକୁ ନେଇ ସରକାରୀ କର୍ମଚାରୀ କଲମ ଛାଡ଼ ଓ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରିବା ସହ ନିରବ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି

ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀ ସାମିଲ ହୋଇଥିଲେ ।
ସେମାନେ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version