Site icon Odisha.com

ଗୁରୁବାର ବିଧାୟକଙ୍କୁ ମୁକ୍ତ କରିବେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀମାନେ ଗୁରୁବାର ମୁକ୍ତ କରିବେ ବୋଲି ଜଣେ ମାଓନେତ୍ରୀ ବୁଧବାର କହିଛନ୍ତି ।

ସୋମବାର ଏବଂ ମଙ୍ଗଳବାର ଅନୁଷ୍ଠିତ ପ୍ରଜାକୋର୍ଟରେ ସେ ବିଧାୟକ ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରତିଶୃତି ଦେବା ପରେ ତାଙ୍କୁ ମୁକ୍ତ କରିବାକୁ ନିଷ୍ପତି ନିଆଯାଇଥିବା ମାଓନେତ୍ରୀ ଅରୁଣା ଏକ ଟିଭି ଚ୍ୟାନେଲକୁ ଅଡ଼ିଓ ବାର୍ତାରେ କହିଛନ୍ତି ।

ଆଦିବାସୀଙ୍କ ସମସ୍ୟାର ସମାଧାନ କରିବାରେ ସେ ବିଫଳ ହୋଇଥିବା କିହକା ପ୍ରଜାକୋର୍ଟରେ ମାଓବାଦୀ ତଥା ଗ୍ରାମାବସୀଙ୍କୁ କହିଛନ୍ତି ।

ମୁକ୍ତ ହେବା ପରେ ସେ ତୁରନ୍ତ ବିଧାୟକ ଏବଂ ଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଥିବାରୁ ତାଙ୍କୁ ମୁକ୍ତ କରିବା ପାଇଁ ପ୍ରଜାକୋର୍ଟରେ ନିଷ୍ପତି ନିଆଯାଇଛି, ମାଓନେତ୍ରୀ କହିଛନ୍ତି ।

ସେମାନେ ସ୍ଥାନୀୟ ଓକିଲ ନିହାର ରଂଜନ ପଟ୍ଟନାୟକ, ବିଧାୟକଙ୍କ ପତ୍ନୀ କୌଶଲ୍ୟା ଏବଂ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ନାରାୟଣପାଟଣା ସ୍ଥିତ ପାଲିପେଟା ଠାରେ ହିକକାଙ୍କୁ ହସ୍ତାନ୍ତର କରିବେ ବୋଲି ସେ କହିଛନ୍ତି ।

ତେବେ ଏନେଇ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

୩୭ ବର୍ଷ ବୟସ୍କ ଲକ୍ଷ୍ମୀପୁର ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଠାରୁ ଅପହରଣ କରିନେଇଥିଲେ । ତାଙ୍କ ମୁକ୍ତି ପାଇଁ ବୁଧବାର ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି ମାଓବାଦୀମାନେ ପୂର୍ବରୁ ଘୋଷଣା କରିଥିଲେ ।

ବିଧାୟକଙ୍କ ମୁକ୍ତି ପାଇଁ ସେମାନେ ୨୯ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିବା ବେଳେ ଦାବି ମୁତାବକ ୨୫ ଜଣଙ୍କୁ ଖଲାସ କରିବାକୁ ସରକାର ରାଜି ହୋଇଥିଲେ ।

ତେବେ ମାଓବାଦୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version