Site icon Odisha.com

ଅପହୃତ ବିଧାୟକ ଝିନ୍ନ ହିକକା ମୁକ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ଅପହରଣର ୩୩ଦିନ ପରେ ଅପହୃତ ବିଧାୟକ ଝିନ୍ନ ହିକକାଙ୍କୁ ଗୁରୁବାର ମାଓବାଦୀମାନେ ମୁକ୍ତ କରିଛନ୍ତି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ବାଲିପେଟା ଠାରେ ମାଓବାଦୀମାନେ ବିଧାୟକଙ୍କକୁ ଛାଡ଼ି ଦେଇଛନ୍ତି । ପତ୍ନୀ କୌଶଲ୍ୟା ଏବଂ ଓକିଲ ନିହାର ପଟ୍ଟନାୟକ ପାଲିପେଟାରେ ଉପସ୍ଥିତ ଥିଲେ ।

ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ପ୍ରଜାକୋର୍ଟରେ ବିଧାୟକଙ୍କୁ ମୁକ୍ତ କରିବାକୁ ନିଷ୍ପତି ନିଯାଇଥିଲା ଏବଂ ତାଙ୍କୁ ବାଲିପେଟା ଠାରେ ଛାଡ଼ି ଦିଆଯିବ ବୋଲି ବୁଧବାର ମାଓନେତ୍ରୀ ଅରୁଣା ଅଡ଼ିଓ ବାର୍ତାରେ କହିଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲା ୟାପୁଟ ନିକଟରୁ ଅପହରଣ କରିନେଇଥିଲା ।

ପୂର୍ବରୁ ମାଓବାଦୀମାନେ ବିଧାୟକଙ୍କ ମୁକ୍ତି ବଦଳରେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ପରେ ସରକାର ଦାବି ମୁତାବକ ୨୫ ଜଣଙ୍କୁ ଖଲାସ କରିବାକୁ ରାଜି ହୋଇଥିବା ବେଳେ ମାଓବାଦୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ସେମାନଙ୍କ ଦାବି ଅନୁସାରେ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଅପହୃତ ବିଧାୟକଙ୍କ ମୁକ୍ତି ନେଇ ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି ଗତ ବୁଧବାର ମାଓବାଦୀମାନେ ଜଣାଇଥିଲେ ।

ତେବେ ସମୟସୀମା ନବଢ଼ାଇ ପ୍ରଜାକୋର୍ଟ ମାଧ୍ୟମରେ ନିଷ୍ପତି ନିଆଯିବ ବୋଲି ସେମାନେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version