Site icon Odisha.com

ଜିଲ୍ଲାପାଳ-ଓକିଲ ବିବାଦରେ ୧୬ ଆଇନଜୀବୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାରେ ପୋଲିସ ଗୁରୁବାର ୧୬ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ କୁମାର ରଥ ଏବଂ ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ।

ସେହିପରି ଗତ ସୋମବାର ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବ୍ ରେଜିଷ୍ଟ୍ରାର୍ ଅଫିସ୍କୁ ଯାଇଥିବା ବେଳେ ସେଠାରେ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ସରକାର ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ଆଇଏଏସ୍ ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version