Site icon Odisha.com

ଓକିଲ-ଜିଲ୍ଲାପାଳ ବିବାଦ, କ୍ରାଇମବ୍ରାଂଚ ତଦନ୍ତ

ଓଡ଼ିଶା ଡ଼ଟ୍ କମ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୭(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ
ଘଟଣାରେ କ୍ରାଇମବ୍ରାଂଚ ପୋଲିସ ତଦନ୍ତ ଆରମ୍ଭ କରିଛି ।

କ୍ରାଇମବ୍ରାଂଚର ଏକ ଆଠ ଜଣିଆ ଦଳ ଶୁକ୍ରବାର ସମ୍ବଲପୁରରେ ପହଂଚି ଜିଲ୍ଲା ଏସ୍ପି ଏବଂ ଅତିରିକ୍ତ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି । ତଦନ୍ତକାରୀ ଦଳ ଗଣ୍ଡଗୋଳ ସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି ।

ଅନ୍ୟ ପକ୍ଷରେ ଜିଲ୍ଲାପାଳ ମୃଣାଳୀନୀ ଦର୍ଶୱାଲ ରାଜ୍ୟ ମହିଳା କମିଶନଙ୍କଦ୍ୱାରସ୍ଥ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ ଦାୟିତ୍ୱରେ ଥିବା ଜଣେ ମହିଳା ଅଧିକାରୀଙ୍କୁ ଆଇନଜୀବୀମାନେ ଯେଉଁ ବ୍ୟବହାର ଦେଖାଇଛନ୍ତି ତାହା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସେ କମିଶନଙ୍କ ନିକଟକୁ ପଠାଇଥିବା ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି ।

ଜିଲ୍ଲାର ସର୍ବୋଚ୍ଚ ପ୍ରାଶାସନିକ ପରେ ଥିବା ମହିଳା ଅଧିକାରୀଙ୍କୁ ସେମାନେ ଯେଉଁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହା ମହିଳା ଅଧିକାରୀ ଓ କର୍ମଚାରୀ ମନୋବଳକୁ ଶକ୍ତ ଆଘାତ ଲଗାଇଛି, ସେ ଉଲ୍ଲେଖ କରିଛନ୍ତି ।

ତେଣୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ ଜଣାଇଛନ୍ତି । ତେବେ ଏହି ଅଭିଯୋଗ ମିଳିବା ପରେ କମିଶନ ଅଧ୍ୟକ୍ଷା ସମ୍ବଲପୁର ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ।

ଗତ ୨୩ ତାରିଖରେ କେତେକ ଲୋକ ଜମି କିଣାବିକା ପାଇଁ ସବ୍ ରେଜିଷ୍ଟ୍ରାର୍ ଅଫିସ୍କୁ ଯାଇଥିବା ବେଳେ ସେଠାରେ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ
ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଗୁରୁବାର ପୋଲିସ ଏହି ଘଟଣାରେ ୧୮ ଜଣ ଆଇନଜୀବୀଙ୍କୁ ଗିରଫ କରିବା ପରେ ଜାମିନରେ ଛାଡ଼ି ଦେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version