Site icon Odisha.com

ୱେବସାଇଟରେ ଉପଲବ୍ଧ ହେବ ଔଷଧ ଦୋକାନ ତାଲିକା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଥିବା ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନ ଏବଂ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଗୁଡ଼ିକର ତାଲିକା ୱେବସାଇଟରେ ଉପଲବ୍ଧ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହା ଭେଷଜ ନିୟନ୍ତ୍ରଣ ପ୍ରଶାସନ ୱେବସାଇଟ୍ରେ ସ୍ଥାନିତ
କରାଯିବ, ଶନିବାର ଭେଷଜ ନୀରିକ୍ଷକଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକକୁ ଉଦଘାଟନ କରି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ବର୍ତମାନ ରାଜ୍ୟରେ ପ୍ରାୟ ୧୬ ହଜାରରୁ ଉଦ୍ଧ୍ୱର୍ ଔଷଧ ଦୋକାନ ଏବଂ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ରହିଛି । ନିରୀକ୍ଷକମାନେ ନିୟମିତ ଭାବେ ଏହି ସବୁ ସଂସ୍ଥା ଗୁଡିକୁ ଯାଂଚ ଏବଂ ନିରୀକ୍ଷଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି କୌଣସି ଦୋକାନରେ ନିମ୍ନମାନର ଔଷଧ ବିକ୍ରୟ ହେଉଥାଏ ତେବେ ଜଣେ ସାଧାରଣ ଲୋକ ତାର ନମୂନା ମଧ୍ୟ ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରରେ ନିର୍ଦ୍ଧାରିତ ଫିସ୍ ଦାଖଲ କରି ପରୀକ୍ଷା କରାଇ ମାମଲା ରୁଜୁ କରି ପାରିବେ, ସେ କହିଛନ୍ତି ।

ବର୍ତମାନ ୪୪ ଟି ଭେଷଜ ନୀରିକ୍ଷକ ପବୀ ରହିଥିବା ବେଳେ ଏହାକୁ ୬୫କୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି ବୋଲି ବୈଠକରେ କୁହାଯାଇଛି ।

୨୦୧୧-୧୨ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୯୫୩୭ ଔଷଧ ଦୋକାନ ଯାଂଚ କରାଯାଇ୩୯୭୪ ଔଷଧ ନମୂନା ପରୀକ୍ଷା ପାଇଁ ସଂଗୃହୀତ ହୋଇଛି । ୪୧୮୪ ଔଷଧ ଦୋକାନ ଉପରେ ଚଢାଉକରାଯାଇ ୫୨ଟି ଜବତ କରାଯାଇଛି ଏବଂ ୨୬ଟି ମାମଲା ରୁଜୁ ହୋଇଛି ।

ଔଷଧ ଦୋକାନ ଓ ପ୍ରସ୍ତୁତକାରୀ ସଂସ୍ଥା ଗୁଡ଼ିକର ଯାଂଚ ଏବଂ ନିରୀକ୍ଷଣ ପାଇଁ ନୂତନ ଗାଇଡ୍ ଲାଇନ ପ୍ରସ୍ତୁତ ହୋଇଛି । ଏହି ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ ଭେଷଜ ନୀରିକ୍ଷକମାନେ ଯାଂଚ ଓ ନୀରିକ୍ଷଣ କରି ନିୟମିତ ଭାବେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version