Site icon Odisha.com

ବାଳ ଅପରାଧିକୁ ସଫେଇ କାର୍ଯ୍ୟ କରିବାକୁ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ଚୋରି ଅଭିଯୋଗରେ ଗିରଫ ଜଣେ ନାବାଳକକୁ ସ୍ଥାନୀୟ ଅଦାଲତ ୬ମାସ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟ କରିବାକୁ ଦଣ୍ଡାଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ବିଚାର ବିଭାଗୀୟ ମୁଖ୍ୟ ବିଚାରପତି ନମିତା ଦାସ ଶୁକ୍ରବାର ଏହି ଐତିହାସିକ ରାୟ ଶୁଣାଇ ଘଟଣାରେ ସଂପୃକ୍ତ ୨ଜଣ ବାଳ ଅପରାଧୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିବା ବେଳେ ଅନ୍ୟଜଣଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହାସହ ସଂପୃକ୍ତ ବାଳ ଅପରାଧିକୁ ନିଜର କାର୍ଯ୍ୟକାଳ ସମୟରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ତାର ସୁଧାର ଦିଗରେ ସମସ୍ତ ଲକ୍ଷଣ ସମ୍ବନ୍ଧୀୟ ତଥ୍ୟ ପ୍ରତ୍ୟେକ ମାସରେ କୋର୍ଟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ଗ୍ରାମର ଖୁିରାମ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗତ ୨୦୧୧ ଅଗଷ୍ଟ ୬ ତାରିଖଦିନ ୫୧,୨୦୦ ଟଙ୍କା ଚୋରି ହୋଇଥିଲା ।

ଚୋରି ସଂପର୍କରେ ବ୍ୟକ୍ତି ଜଣକ ନିଜ ଘରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଟୁଲୁ ବେହେରା ଏବଂ ବାଙ୍ଗୁରୁଙ୍କ ନାମ ସନ୍ଦେହରେ ପୋଲିସକୁ କହିଥିଲେ । ଫଳରେ ଗ୍ରାମାଞ୍ଚଳ ଥାନା ପୋଲିସ ଟୁଲୁ ପାଖରୁ ୨୦ହଜାର ଏବଂ ବାଙ୍ଗୁର ଘରୁ ୧୪ହଜାର ଟଙ୍କା ଜବତ କରିଥିଲା ।

ଏହି ମାମଲାର ବିଚାର କରି ଅଦାଲତ ପ୍ରମାଣ ଅଭାବରୁ ବାଙ୍ଗୁରୁକୁ ଖଲାସ କରିଥିବା ବେଳେ ଟୁଲୁକୁ ଦୋଷୀ ସାବ୍ୟସ୍ତ କରି ସେ ଜଣେ ବାଳ ଅପରାଧି ହୋଇଥିବାରୁ ତା ସଂପର୍କରେ ଜିଲ୍ଲା ପ୍ରୋବେସନ୍ ଅଫିସରଙ୍କୁ ତଥ୍ୟ ମାଗିଥିଲେ ।

ସଂପୃକ୍ତ ଅଫିସରଙ୍କ ତଥ୍ୟକୁ ଆଧାର କରି ସେ ଅତ୍ୟନ୍ତ ଗରିବ ଯୋଗୁଁ ଆର୍ଥିକ ଅନାଟନରେ ଏଭଳି ପ୍ରଥମ ଅପରାଧ କରିଥିବାରୁ ବିଚାରପତି ତାର ସଂସ୍କାର ଦିଗରେ ମଇ ୧ତାରିଖଠାରୁ ସଫେଇ କାର୍ଯ୍ୟ କରିବାକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version