Site icon Odisha.com

ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତିଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଅମିୟ କୁମାରୀ ପାଢ଼ୀଙ୍କ ସୋମବାର ପରଲୋକ ହୋଇଯାଇଛି ।

କଟକ ନିମଚଉଡ଼ି ଭାଷାକୋଷ ଲେନ୍ ରେ ଅପରାହ୍ନରେ ୭୯ ବର୍ଷ ବୟସର ତାଙ୍କର ପରଲୋକ ହୋଇଯାଇଥିବା ବେଳେ ସେ ବହୁଦିନ ଧରି ଅସୁସ୍ଥ ଥିଲେ ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ଗୋପାଳଗୌଡଙ୍କ ସମେତ ଅନ୍ୟ ବିଚାରପତି ଏବଂ ଆଇନଜୀବୀ, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି ।

ସେ ୧୯୩୩ ସେପ୍ଟେମ୍ବର ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅମିୟ କୁମାରୀ ୧୯୪୯ରେ ହାଇସ୍କୁଲ୍ ଶିକ୍ଷା ସମାପ୍ତ କରି ୧୯୫୧ ମସିହାରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ୍ ରୁ ଆଇଏଏସ୍ସି ଏବଂ କଟକ ରେଭେନ୍ସା କଲେଜରୁ ୧୯୫୩ ମସିହାରେ ବିଏସ୍ସି ପାସ୍ କରିଥିଲେ ।

୧୯୬୧ ମସିହାରେ ସେ ଆଇନ୍ ଶିକ୍ଷା ଗ୍ରହଣ କରି ୧୯୬୪ରେ ବାର୍ କାଉନ୍ସିଲରେ ଯୋଗଦେଇ ଆଇନ୍ଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୮୮ ଏପ୍ରିଲ ୧୮ରେ ସେ ଓଡ଼ିଶା ହାଇକୋର୍ଟର ପ୍ରଥମମହିଳା ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ୧୯୯୫ ସେପ୍ଟେମ୍ବର ୧୪ରେ ଅବସର ଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version