Site icon Odisha.com

ତଦନ୍ତ ଦାବିରେ ଭଦ୍ରକ ଓକିଲ ସଂଘର କାର୍ଯ୍ୟବନ୍ଦ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାର
ବିଚାର ବିଭାଗୀୟ ତଦନ୍ତ ଦାବିରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ
କରାଯାଇଛି ।

ଘଟଣାଦିନ ଜିଲ୍ଲାପାଳ ଓକିଲ ମାନଙ୍କୁ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ,ଏହା ୬୫ବର୍ଷର ସ୍ୱାଧିନ
ଭାରତ ଇତିହାସରେ ବିରଳ ବୋଲି ସଂଘ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ।

ରତ୍ନାକର ବାରିକ, ନାରାୟଣ ମହାପାତ୍ର, ଦିଲ୍ଲୀପ ମହାପାତ୍ର, ଜୁଲଫିକର ଅହମ୍ମଦଙ୍କ ନେତୃତ୍ୱରେ
ସଂଘର ଆଇନଜୀବୀମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ ।

ଏହା ପୂର୍ବରୁ ଆଇନଜୀବୀ ମାନଙ୍କ ପକ୍ଷରୁ ଅନୁଷ୍ଠିତ ସାଧାରଣ ଅଧିବେଶନରେ ବହୁ ଆଇନଜୀବୀ
ଜିଲ୍ଲାପାଳଙ୍କ ଏତାଦୃଶ ଆଚରଣକୁ ନିନ୍ଦା କରିଥିଲେ ।

ସଂପୃକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବା, ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା, ମିଥ୍ୟା ମାମଲାରେ ଜଡ଼ିତ ଓକିଲମାନଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରିବା ଆଦି ଦାବିକରି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ବିକ୍ଷୋଭ ଶୋଭାଯାତ୍ରା ଯୋଗୁଁ କୋର୍ଟର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version