Site icon Odisha.com

ଭଦ୍ରକ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨(ଓଡ଼ିଶା ଡ଼ଟ୍ କମ୍) ନିକଟରେ କଟକ ଶ୍ରୀରାମମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଶିଶୁ ଅଦଳବଦଳ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି ।

ତିହିଡ଼ି ବ୍ଲକ ବଉଳପାଳ ଗ୍ରାମର ଭାଗବତ ବାରିକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରସବ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ସୋମବାର ରାତିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

କିନ୍ତୁ ମଙ୍ଗଳବାର ସକାଳେ ଜନୈକ ଆଶାକର୍ମୀ ଲକ୍ଷ୍ମୀପ୍ରିୟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଖବର ଦେବାରୁ ତାଙ୍କ ମା’ ସତ୍ୟଭାମା ଖୁସୀରେ ସେଠାରେ ଥିବା କର୍ମଚାରୀ ମାନଙ୍କୁ ୨ଶହ ଟଙ୍କା ମିଠା ଖାଇବାକୁ ଦେଇ ନିଜ ଶୌଚାଳୟ ଚାଲିଯାଇଥିଲେ ।

କିଛି ସମୟ ପରେ ସେ ପ୍ରସୂତୀ ବିଭାଗରେ ପହଞ୍ଚି ନିଜ କନ୍ୟା ଲକ୍ଷ୍ମୀଙ୍କ ନିକଟରେ ଏକ କନ୍ୟା ସନ୍ତାନ ଶୋଇଥିବା ଦେଖିଥିଲେ । ସେ ଏହାକୁ ସହଜରେ ଗ୍ରହଣ କରିନପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନବଜାତ ଶିଶୁକୁ ବଦଳ କରି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ।

ଡ଼ାକ୍ତରଖାନା କର୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ସେଦିନ ୪ଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ତଥା ଲକ୍ଷ୍ମୀପ୍ରିୟାଙ୍କ କନ୍ୟା ସନ୍ତାନ ହୋଇଥିବା ଗଣମାଧ୍ୟମକୁ କହିଥିଲେ ।

ତେବେ ଲକ୍ଷ୍ମୀପ୍ରିୟା ଉକ୍ତ କନ୍ୟାକୁ ନିଜର ସନ୍ତାନ ଭାବରେ ସହଜରେ ଗ୍ରହଣ କରିନପାରି ବହୁ ଅନୁରୋଧ ପରେ ଦୀର୍ଘ ୧୪ଘଣ୍ଟା ପରେ କ୍ଷୀର ପାନ କରଇଥିଲେ ।

ଏସଂପର୍କରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଭାଗବତ ଟାଉନ ଥାନାରେ ଏକ ଏତଲା ଦେବା ସହ ତାଙ୍କ ପୁତ୍ର ସନ୍ତାନକୁ ଫେରାଇ ଦେବା ଏବଂ ଆବଶ୍ୟକ ପଡ଼ିଲେ ନବଜାତ ଶିଶୁର ଡ଼ିଏନ୍ଏ ପରୀକ୍ଷା ପାଇଁ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version