Site icon Odisha.com

ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଅବ୍ୟବସ୍ଥା ନେଇ ଉଦ୍ଦବେଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ।

ମ୍ୟାଟ୍ରିକ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବାରମ୍ବାର ଅବ୍ୟବସ୍ଥା ହେଉଥିବାରୁ ଛାତ୍ରଛାତ୍ରୀମାନେ ଉଚିତ୍ ନମ୍ବର ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପରୀକ୍ଷା ଓ ପରୀକ୍ଷା ପରବର୍ତୀ ମୂଲ୍ୟାଙ୍କନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଥିବା ବେଳେ ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

ମହମବତୀ ଆଲୁଅ ଏବଂ ମୋବାଇଲ ଆଲୁଅରେ ଖାତା ମୂଲ୍ୟାଙ୍କନ କରାଯାଉଥିବା ଲୋକ ଲୋଚନକୁ ଆସିଥିବା ବେଳେ ଗୁରୁବାର ଓଦା ପରୀକ୍ଷା ଖାତା ଦେଖାଯାଉଥିବା ନଜରକୁ ଆସିଛି ।

ଗତ ମଙ୍ଗଳବାର ବଲାଙ୍ଗୀର ସହରରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମହମବତୀ ଓ ମୋବାଇଲ୍ ଲାଇଟ୍ ରେ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଥିବା ବେଳେ ଗୁରୁବାର ପୁଣି ସେହି କେନ୍ଦ୍ରରେ ବର୍ଷା ଭିଜା ଖାତା ମୂଲ୍ୟାଙ୍କନ କରାଯାଉଥିବା ଦେଖିବାକୁ ମିଳିଛି ।

ପରୀକ୍ଷା ଖାତା ଗୁଡ଼ିକରେ ଥିବା ଲେଖା ଗୁଡ଼ିକ ପଢି ହେଉନଥିବା ସତ୍ୱେ ଏହି ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଓଦା ଖାତା ଦେଖୁଛନ୍ତି ।

ତେବେ ପରୀକ୍ଷା ଖାତା କେବେ କେଉଁଠି ଓଦା ହୋଇଛି ତାହା ଜଣାପଡ଼ୁନଥିବା ବେଳେ ଏସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ଜିଲ୍ଲା ଶିକ୍ଷାମଣ୍ଡଳାଧୀଶ କହିଛନ୍ତି ।

ବଲାଙ୍ଗୀରରେ ପରୀକ୍ଷା ଖାତା ଓଦା ହୋଇ ନାହିଁ ଓ ଏହା ପରୀକ୍ଷା କେନ୍ଦ୍ରରୁ ଓଦା ହୋଇ ଏଠାକୁ ଆସିଛି । ଖାତା ଗୁଡ଼ିକ ସାମାନ୍ୟ ଓଦା ହୋଇଥିଲେ ମଧ୍ୟ ପଢି ହେଉଛି ବୋଲି ସେ କହିଛନ୍ତି ।

ସରକାର ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ତଥା ଜନସାଧାରଣ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version