Site icon Odisha.com

ସଂଗ୍ରହାଳୟରେ ଶୋଭାପାଉଛି ଚତୁର୍ଥ ଶତାବ୍ଦୀର ସାମଗ୍ରୀ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମଇ ୩(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲା ସ୍ଥିତ ଗଜରାଜ ସଂଗ୍ରହାଳୟରେ ଚତୁର୍ଥରୁ ନବମ ଶତାବ୍ଦୀର ବିଭିନ୍ନ ମାଟି ତିଆରି ସାମଗ୍ରୀ ଶୋଭାପାଉଛି ।

ଅବସରପ୍ରାପ୍ତ ଅଧ୍ୟାପକ ତଥା ଐତିହାସିକ ଡ଼ା. ନୃସିଂହ ସାହୁଙ୍କ କଇମା ଠାରେ ଥିବା ଏହି ସଂଗ୍ରହାଳୟରେ ନିକଟରେ ପୂରାତନ ଯୁଗର ମାଟି ତିଆରି ଅଳଙ୍କାର, ମାଳି, ଟେରାକୋଟା ପାତ୍ର, ଲ୍ୟାମ୍ପ ଆଦି ପ୍ରଦର୍ଶୀତ ହୋଇଛି ।

ଗତ ତିନି ଦଶନ୍ଧି ଧରି ଗବେଷଣା ସମୟରେ ମୁଁ ଏହି ସାମଗ୍ରୀ ଗୁଡ଼ିକ ରାଧନଗର, କଇମା, ଲଳିତଗିରି, ରତ୍ନଗିରି ଏବଂ ଅନ୍ୟ ବୈଦ୍ଧ ତଥା ଐତିହାସିକ ସ୍ଥାନରୁ ସଂଗ୍ରହ କରିଛି, ସାହୁ କହିଛନ୍ତି ।

ଯାଜପୁର ତଥା ଆଖପାଖ ଅଞ୍ଚଳରେ ପୂରାତନ କାଳରେ ମଧ୍ୟ ଉନ୍ନତ ସମାଜ ଥିବା ଏହି ସମସ୍ତ ସାମଗ୍ରୀରୁ ଜଣାପଡ଼ୁଛି ବୋଲି ସେ କହିଛନ୍ତି । ସେହି ସମୟରେ ଲୋକଙ୍କ ମଧ୍ୟରେ କଳା ପ୍ରତିଭା ଥିବା ପ୍ରମାଣିତ ହେଉଛି, ସେ କହିଛନ୍ତି ।

ମାଟି ଅଳଙ୍କାର ଗୁଡ଼ିକରେ ଥିବା ହାତୀ, ଦେବୀ ଲକ୍ଷ୍ମୀ, ଗରୁଡ଼ ତଥା ଅନ୍ୟାନ୍ୟ ହିନ୍ଦୁ ଦେବାଦେବୀଙ୍କ ଚିତ୍ରରୁ ଏହା ଚତୁର୍ଥ ଶତାବ୍ଦୀ ଗୁପ୍ତ ସମୟର ଏବଂ ମାଳିରେ ଧର୍ମଚକ୍ର, ବୁଦ୍ଧ, ସ୍ତୁପ ଆଦିର ଚିତ୍ର ଥିବାରୁ ଏହା ସପ୍ତମରୁ ଦଶମ ଶତାବ୍ଦୀର ବୋଲି ଜଣାପଡ଼ୁଛି ।

ଅନ୍ୟ କେତେକ ଅଳଙ୍କାରରେ ନୌଚାଳନାର ଚିତ୍ର ଥିବାରୁ ସେସମୟର ନୌବାଣିଜ୍ୟ ବିଷୟରେ ଏହା ସୂଚାଉଛି । ଏଥିପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version