Site icon Odisha.com

ରାଜ୍ୟରେ ମନରେଗା ଅଗ୍ରଗତି ନେଇ ଜୟରାମ ଅସନ୍ତୁଷ୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା)ର କାର୍ଯକାରିତା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ଏହି ଯୋଜନା ସବୁଠାରୁ ପଛୁଆ ବୋଲି ସେ ଶନିବାର ତିନିଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗତ ଛଅ ବର୍ଷ ହେଲା ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଅନ୍ୟ ରାଜ୍ୟରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ହୋଇପାରି ନାହିଁ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଏହି ଯୋଜନାରେ ପ୍ରଚୁର ଅର୍ଥ ଦେବାକୁ ଚାହୁଁଥିବା ବେଳେ ଓଡ଼ିଶା ଦାବି ଉପସ୍ଥାପନ କରିପାରୁ ନାହିଁ । ଫଳରେ ବହୁ କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ହାତଛଡା କରୁଛି ।

ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଏମ୍ଜିଏନ୍ଆରଇଜିଏସ୍ ଯୋଜନା ସଂପର୍କରେ ସିବିଆଇ ତଦନ୍ତ ଚାଲିଛି, ସେ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଜରିଆରେ ଦେଶରେ ୯୯ ହଜାର କୋଟି ଟଙ୍କାରେ ରାସ୍ତା, ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏହାକୁ ସ୍ୱଚ୍ଛ କରିବା ପାଇଁ ସିଏଜିକୁ ସମୀକ୍ଷା ଦାୟିତ୍ୱ ଦିଆଯାଇଛି ।

ତେଣୁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ସିଏଜିଙ୍କ ଦ୍ୱାରାନିଯୁକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ସମୀକ୍ଷା କରିବେ । ସେହିଭଳି ଓଡ଼ିଶାର ସମସ୍ତ ୬୨୦୦ ଗ୍ରାମ ପଞ୍ଚାୟତରେ ଥିବା ୧୫ ପ୍ରତିଶତ ପର୍ଯ୍ୟନ୍ତ କାମର ସମୀକ୍ଷା କରାଯିବ ।

ଗତ ବର୍ଷ ରାଜ୍ୟରେ ୬ ହଜାର ରାସ୍ତା ନିର୍ମାଣ ପାଇଁ ୨୫୦୦ କୋଟି ଟଙ୍କା ଦିଆଯାଇଛି । ଏହି ଯୋଜନାରେ ବିହାର ବାର୍ଷିକ ୩ ହଜାରକୋଟି ଟଙ୍କା ଓ ଝାଡଖଣ୍ଡ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ମାତ୍ର ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ରମେଶ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version