ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ରାଜ୍ୟସଭା ସଦସ୍ୟ ପତିତପାବନ ପ୍ରଧାନଙ୍କର ରବିବାର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ସେ ତାଙ୍କ ସାକ୍ଷୀପଡ଼ା ବୃକ୍ସହିଲ ସ୍ଥିତ ବାସ ଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦିର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ ।
ମୃତ୍ୟୁ ଖବର ପାଇ ତାଙ୍କ ଶେଷ ଦର୍ଶନ ସକାଶେ ତାଙ୍କ ବାସ ଭବନକୁ ସହରର ବହୁତ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବନ୍ଧୁ ପରିଜନଙ୍କ ସୁଅ ଛୁଟିଛି ।
ଜନସାଧାରଣଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ମର ଶରୀରକୁ ଆସନ୍ତାକାଲି ପର୍ଯ୍ୟନ୍ତ ତାଙ୍କ ବାସ ଭବନରେ ରଖାଯିବ । ସୋମବାର ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।
ପ୍ରଧାନ ପିଲାଦିନରୁ ଜଣେ ମେଧାବୀଛାତ୍ର ଥିଲେ । ସମାଜବାୀନେତା ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିଲେ ।
ସେ ଜୟ ପ୍ରକାଶ ନାରାୟଣଙ୍କ ସପୂର୍ଣ୍ଣ କ୍ରାନ୍ତିରେ ସକ୍ରିୟ ଭୂମିକା ଗ୍ରହଣ କରି କାରାବରଣ କରିଥିଲେ । ଦୀର୍ଘ ୧୯ ମାସ କାରାବରଣ କରି ଜେଲରୁ ଫେରି ତତ୍କାଳୀନ ଜନତାଦଳ ସରକାର ସମୟରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
ସେ ୧୯୮୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ସେ କିଛିିଦିନ ପାଇଁ ସମ୍ବଲପୁରରୁ ପ୍ରକାଶିତ ଦୈନିକ ହୀରାଖଣ୍ଡର ସଂପାଦନା ଦାୟିତ୍ୱରେ ରହିଥିଲେ ।
ଓଡ଼ିଶା ଡ଼ଟ୍ କମ୍