ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଟ୍ରକ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ପ୍ରତିବାଦରେ କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ସୋମବାର ଠାରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମାଲବାହୀ ଟ୍ରେନ୍ ରୋକ କରାଯାଇଛି ।
କେନ୍ଦୁଝର, ଯୋଡା ଏବଂ ବଡବିଲ ଟ୍ରକ ମାଲିକ ସଂଘର ଆହ୍ୱାନକ୍ରମେ ସକାଳୁ କେନ୍ଦୁଝର ରେଳ ଷ୍ଟେସନରେ, ଦେଓଘର ଏବଂ ବଡବିଲ ରେଳ ଷ୍ଟେସନରେ ଧାରଣା ଦିଆଯାଇଛି । ଫଳରେ ବିଭିନ୍ନ ଷ୍ଟେସନରେ ମାଲବାହୀ ଟ୍ରେନ୍ ଗୁଡ଼ିକ ଅଟକି ରହିଛି ।
ଖଣିଜ ପଦାର୍ଥର ଚୋରି ରୋକିବା ପାଇଁ ସରକାର ଜିଲ୍ଲା ତଥା ରାଜ୍ୟ ବାହାରକୁ ଟ୍ରକ ଯୋଗେ ଖଣିଜ ସଂପଦ ରପ୍ତାନିକୁ ବନ୍ଦ କରିଦେଇଛନ୍ତି ।
ସରକାରଙ୍କ ଏଭଳି ନିଷ୍ପତି ବିରୋଧରେ ଗତ ନଭେମ୍ବର ମାସରେ ଟ୍ରକମାଲିକ ସଂଘ ପକ୍ଷରୁ ୫ଦିନ ବ୍ୟାପୀ ମାଲବାହୀ ରେଳରୋକ କରାଯାଇଥିଲା ।
ତେବେ ସଂଘର ଦାବି ଅନୁଯାୟୀ ଶୀଘ୍ର ଟ୍ରକ ଯୋଗେ ପରିବହନ କରିବା ପାଇଁ ପଦକ୍ଷପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗତ ଅପ୍ରେଲ ୧୬ରେ ଯୋଡା ଡିଡିଏମ୍ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଏନେଇ ଚଳିତ ମାସ ୧ ଓ ୩ ତାରିଖରେ ପ୍ରଶାସନ, ଟ୍ରକମାଲିକ ସଂଘ ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇନପାରିବାରୁ ୭ ତାରିଖରୁ ମାଲବାହୀ ରେଳରୋକ କରିବାବୁ ଘୋଷଣା କରାଯାଇଥିଲା ।
ଟ୍ରକ ଯୋଗେ ଖଣିଜ ସାମଗ୍ରୀ ପରିବହନ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲକ୍ଷାଧିକ ପରିବାର ଜୀବିକା ନିର୍ବାହ କରୁଥିବାବେଳେ ଏହା ବନ୍ଦ ହୋଇଯିବାରୁ ବର୍ତମାନ ସେମାନେ କାମଧନ୍ଦା ନପାଇ ଆର୍ଥିକ ଅନାଟନରେ ଗତି କରୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍